ବିରୋଧୀ ଦଳମାନଙ୍କ ସହିତ ଚାଲିଛି ସୋନିଆ ଗାନ୍ଧୀଙ୍କ ବୈଠକ, ମମତା ବାନାର୍ଜୀ, ଶରଦ ପାୱାରଙ୍କ ସମେତ ୧୯ ବିରୋଧୀ ଦଳ ସାମିଲ ।

132

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିରୋଧୀ ମାନଙ୍କୁ ଏକାଠି କରିବାକୁ ପ୍ରୟାସ କରିଛନ୍ତି । ଏହି କ୍ରମରେ ଆଜି ତାଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ବୈଠକ ଚାଲିଛି । ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ନେତା ଶରଦ ପାୱାରଙ୍କ ସମେତ ୧୯ ଟି ବିରୋଧୀଦଳର ନେତା ସାମିଲ ହୋଇଛନ୍ତି ।

ବୈଠକରେ କଂଗ୍ରେସ ସହିତ ଟିଏମସି, ଏନସିପି, ଡିଏମକେ, ଶିବସେନା, ଜେଏମଏମ୍, ସିପିଆଇ, ସିପିଆଇ(ଏମ),ନ୍ୟାସନାଲ କନଫରେନ୍ସ, ଆରଜେଡି, ଆଇୟୁଡିଏଫ, ବିସିକେ, ଏଲଜେପି, ଜେଡିଏସ, ଆରଏଲଡି, ଆରଏସପି, କେରଳ କଂଗ୍ରେସ ମନି, ପିଡିପି, ଆୟୁଏମଏଲ ସାମିଲ ହୋଇଛନ୍ତି ।

ବୈଠକରେ ଶରଦ ପାୱାର, ଉଦ୍ଧବ ଠାକରେ, ହେମନ୍ତ ସୋରେନ, ଏମକେ ଷ୍ଟାଲିନ୍, ମହବୁବା ମୁଫ୍ତି, ଫାରୁକ ଅବ୍ଦୁଲ୍ଲା, ବଦରୁଦ୍ଦିନ ଅଜମଲ ସମେତ ଅନେକ ନେତା ସାମିଲ ହୋଇଛନ୍ତି । ଅନ୍ୟପଟେ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ବି ଏହି ବୈଠକରେ ସାମିଲ ହୋଇଛନ୍ତି ।

କହିରଖୁ କି ସୋନିଆ ଗାନ୍ଧୀ ଦେଶ ଆଗରେ ଥିବା ପ୍ରମୁଖ ମୁଦ୍ଦା ଉପରେ ବିରୋଧୀମାନଙ୍କ ସାଥିରେ ନେଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବା କ୍ରମରେ ଏହି ବୈଠକ କରୁଛନ୍ତି । ଏହାସହ ମୋଦୀ ସରକାର ଓ ବିଜେପି ବିରୋଧରେ ଆଗାମୀ ସାଧାରଣ ନିର୍ବାଚନରେ ବିରୋଧୀମାନଙ୍କୁ ଏକାଠି କରି ନିର୍ବାଚନ ଲଢିବାକୁ କଂଗ୍ରେସ ଚେଷ୍ଟା ଚଳାଇଛି ବୋଲି ବି ଆଲୋଚନା ହେଉଛି ।
ସଂସଦରେ ଚଳିତ ମୌସୁମୀ ଅଧିବେଶନରେ ବିରୋଧୀମାନେ ପେଗାସସ୍, କୃଷକ ଆନ୍ଦୋଳନ ଓ ଦରବୃଦ୍ଦିକୁ ନେଇ ସରକାରଙ୍କ ବିରୋଧରେ ବିରୋଧୀମାନେ ଏକଜୁଟ ହୋଇଥିବା ଦେଖିବାକୁ ମିଳିଥିଲା । ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିରୋଧୀଙ୍କ ନେତୃତ୍ୱ ନେଉଥିବା ଦେଖିବାକୁ ମିଳିଥିଲା ।