ରାଜଧାନୀର ନିରୋଳା ଫାର୍ମ ହାଉସରୁ ମିଳିଲା ଛାତ୍ରୀଙ୍କ ମୃତ ଦେହ । ବାପା,ମା କହିଲେ, ଜେଇଇ ପରୀକ୍ଷାରେ କମ୍ ମାର୍କ ରଖିଥିବାରୁ ବିଷାଦରେ ଥିଲେ ଝିଅ । ସାମ୍ନାକୁ ଆସିଲା ରାତି ଅଢ଼େଇଟାରେ ରାସ୍ତାରେ ଚାଲି ଚାଲି ଯାଉଥିବାର ଦୃଶ୍ୟ ।

2,090

କନକ ବ୍ୟୁରୋ : ରଘୁନାଥପୁର ଅଞ୍ଚଳରେ ଥିବା ଏକ ଫାର୍ମ ହାଉସ ପୋଖରୀରୁ ଜଣେ ଛାତ୍ରୀଙ୍କ ମୃତ ଦେହ ମିଳିବା ଖବର ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ଏହି ଛାତ୍ରୀଜଣଙ୍କର କେମିତି ମୃତ୍ୟୁ ହେଲା ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି । ପରୀକ୍ଷାରେ ଆଶାଜନକ ମାର୍କ ନମିଳିବାରୁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନାଁ ଏହା ପଛରେ ଆଉ କିଛି ରହସ୍ୟ ରହିଛି, ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ସିସିଟିଭି ଫୁଟେଜ୍ ଓ ପାରିପାଶ୍ୱିକ ସ୍ଥିତିକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇଛି ପୋଲିସ ।

ସ୍ଥାନ-ରଘୁନାଥପୁର, ଭୁବନେଶ୍ୱର । ସମୟ-ପ୍ରାୟ ରାତି ୨ଟା ୩୦ ମିନିଟ୍ । ରାତି ଅଧରେ ପ୍ରାୟ ଅଢେଇଟାବେଳେ ରାଜଧାନୀର ରଘୁନାଥପୁର ଅଞ୍ଚଳରେ ଜଣେ ଝିଅ ଦୌଡି ଦୌଡି ଯାଉଥିବାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି । ପ୍ରଥମେ ଦେଖାଗଲା ଝିଅ ଜଣକ ଚାଲି ଚାଲି ଯାଉଛନ୍ତି, ପୁଣି କିଛି ସମୟ ପରେ ଦୌଡି ଦୌଡି ଯାଉଛନ୍ତି । ଆଉ ସିସିଟିଭିର ଏହି ଦୃଶ୍ୟ ଏକ ଏତେବଡ ଅଘଟଣ ଆଗରୁ ରେକର୍ଡ ହୋଇଥିଲା, ଯାହା କେହି ବି ହୁଏତ କଳ୍ପନା କରିପାରିନଥିବେ ।

ଦିନ ପ୍ରାୟ ୧୦ଟା ୩୦ ମିନିଟ୍ । ଫାର୍ମହାଉସରେ ଥିବା ପୋଖରୀରେ ଭାସୁଥିଲା ମୃତଦେହ । ଫାର୍ମହାଉସର ମାଲିକ ପୁଲିସକୁ ଖବର ଦେଲେ ଯେ, ତାଙ୍କ ପୋଖରୀରେ ଜଣେ ଝିଅର ମୃତଦେହ ଭାସୁଛି ।

କୁମାରୀ ପ୍ରିୟଦର୍ଶିନୀ । ରାଜଧାନୀର ଏକ ନାମୀ କଲେଜ ବେସିକ ସାଇନ୍ସ କଲେଜରେ ଯୁକ୍ତ ଦୁଇ ପଢୁଥିଲେ । ବେଶ ଭଲ ପଢନ୍ତି, ଯୁକ୍ତ ଦୁଇରେ ୮୯ ପ୍ରତିଶତ ମାର୍କ ବି ରଖିଥିଲେ । କିନ୍ତୁ ତା ପରେ କଣ ହେଲା ଏବଂ କେମିତି ମୃତ୍ୟୁ ହେଲା ତାହା କିଛି ଜଣାପଡୁନାହିଁ ।

ରାଜଧାନୀର ସିଇଟି କଲେଜରେ ପ୍ରଫେସର ଥିବା ବାପା ଓ ମାଆ ସନ୍ଦେହ କରୁଛନ୍ତି ଜେଇଇ-ମେନ ଥ୍ରୀ ପରୀକ୍ଷାରେ କମ ପର୍ସେଣ୍ଟାଇଲ ମାର୍କ ରଖିଥିବାରୁ ପ୍ରିୟଦର୍ଶିନୀଙ୍କ ମନ ଖୁବ ଖରାପ ଥିଲା ଏବଂ ସେ ବାରମ୍ବାର କାନ୍ଦୁଥିଲେ । ସେଥିପାଇଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସେମାନେ ସନ୍ଦେହ କରୁଛନ୍ତି ।

ପ୍ରଶ୍ନ ଉଠୁଛି ପ୍ରିୟଦର୍ଶିନୀ କଣ ଆତ୍ମହତ୍ୟା କରିଛନ୍ତି ?
୧- ଫାର୍ମହାଉସ ବିଷୟରେ କିଛି ଜାଣିନଥିବା ପ୍ରିୟଦର୍ଶିନୀ କେମିତି ରାତି ଅନ୍ଧାରରେ ଫାର୍ମହାଉସ ଭିତରକୁ ଗଲେ ?
୨- ଗେଟ୍ ବନ୍ଦ ଥିବା ବେଳେ ଫାର୍ମହାଉସ ଭିତରକୁ ସେ ପଶିଲେ କେମିତି ?
୩- ଯଦି ପାଣିରେ ବୁଡି ଆତ୍ମହତ୍ୟା କରିବାର ଥିଲା ତେବେ ଘରପାଖ ପୋଖରୀ ଛାଡି ଫାର୍ମହାଉସ ପୋଖରୀକୁ ଗଲେ କାହିଁକି ?
୪- ରାତି ଅଧରେ ଏମିତି କଣ ଘଟିଲା ଯେ ପ୍ରିୟଦର୍ଶିନୀ ଘର ଛାଡିବାକୁ ବାଧ୍ୟହେଲେ ?
୫- ନା ଏହି ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି ?

ଏବେ ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ, ଯାହା ଭିତରେ ମୃତ୍ୟୁର ରହସ୍ୟ ଲୁଚିରହିଛି ।