ଜାଇଡସ କାର୍ଡିଲା ଟିକାକୁ ଭାରତର ମଞ୍ଜୁରୀ, ପ୍ରଥମଥର ପାଇଁ ଲୋକଙ୍କୁ ଦିଆଯିବ ୩ ଟି ଡୋଜ

152

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଦେଶରେ ଚାଲିଥିବା ଟିକାକରଣ ଅଭିଯାନରେ ପୁଣି ଏକ ଟିକା ସାମିଲ ହୋଇଛି । ଫାର୍ମା କମ୍ପାନୀ ଜାଇଡସ କାର୍ଡିଲାର ୩ ଡୋଜ କରୋନା ଟିକାକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଟିକାର ନାମ ଜାଇକୋଭି-ଡି  ରଖାଯାଇଛି । ଡ୍ରଗ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ (ଡିସିଜିଆଇ) ର ବିଶେଷଜ୍ଞ କମିଟି ଏହି ଟିକାକୁ ଶୁକ୍ରବାର ଦିନ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଜେନେରିକ ଔଷଧ କମ୍ପାନୀ କାର୍ଡିଲା ହେଲଥ କେୟାର ଲିମିଟେଡ ପକ୍ଷରୁ ଜାଇକୋଭି-ଡି କୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେବାକୁ ଜୁଲାଇ ୧ ତାରିଖରେ ଆବେଦନ କରିଥିଲା । ଏହି ଆବେଦନ ୨୮ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ହୋଇଥିବା ଶେଷ ପର୍ଯ୍ୟାୟ ପରୀକ୍ଷଣ ଆଧାରରେ ମଗାଯାଇଥିଲା । ଏହି ପରୀକ୍ଷଣରେ ଟିକାର ପ୍ରଭାବ ୬୬.୬ ପ୍ରତିଶତ ବୋଲି ଜଣାପଡିଥିଲା । ସବୁଠାରୁ ବଡକଥା କି କମ୍ପାନୀ ତରଫରୁ କୁହାଯାଇଛି ଏହି ଟିକା ୧୨-୧୮ ବର୍ଷର ପିଲାଙ୍କ ପାଇଁ ଏହି ଟିକା ବେସ୍ ପ୍ରଭାବଶାଳୀ ।

ଏହି ଟିକା ଅନ୍ୟଟିକା ଭଳି ୨ ଟି ଡୋଜ ନୁହେଁ ବରଂ ଲୋକମାନଙ୍କୁ ୩ ଟି ଖୋରାକ ନେବାକୁ ପଡିବ । ଯଦି ଜରୁରୀକାଳୀନ ବ୍ୟବହାର ପରେ ଏହି ଟିକାକୁ ଡିସିଜିଆଇ ସମ୍ପୂର୍ଣ୍ଣ ଅନୁମତି ଦେବ ତେବେ ଏହା ଦେଶରେ ଦ୍ୱିତୀୟ ସ୍ୱଦେଶୀ ଟିକା ହେବ । ଏହା ପୂର୍ବରୁ ଭାରତ ବାୟୋଟେକ ଆଇସିଏମଆର ସହ ମିଳିତ ଭାବେ ପ୍ରଥମ ସ୍ୱଦେଶୀ ଟିକା କୋଭାକ୍ସିନ ପ୍ରସ୍ତୁତ କରିଥିଲା । ଏବେ ଦେଶରେ ମୋଟ ୪ ଟି ଟିକାକୁ ମଞ୍ଜୁରୀ ମିଳିଛି । କୋଭିସିଲ୍ଡ, କୋଭାକ୍ସିନ, ସ୍ପୁଟନିକ-ଭି, ମଡର୍ଣ୍ଣା । ଏବେ ଜାଇଡସ କାର୍ଡିଲାକୁ ମିଶାଇଲେ ଡିସିଜିଆଇ ଅନୁମତି ଦେଇଥିବା ଟିକା ସଂଖ୍ୟା ୫ ହୋଇଛି ।

ଏହା ପୂର୍ବରୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ମଞ୍ଜୁରୀ ମିଳିବାର ୨ ମାସ ମଧ୍ୟରେ ଟିକା ଲଂଚ କରିବ । ଜାଇକୋଭି –ଡି ଟିକାକୁ ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍ ବାୟୋଟେକ୍ନୋଲୋଜି ଓ ଇଣ୍ଡିଆନ କାଉଁସିଲ ଅଫ ମେଡିକାଲ ରିସର୍ଚ୍ଚ ମିଳିତ ଭାବେ ବିକଶିତ କରିଛନ୍ତି । ଏହି ଟିକାକୁ ୨-୮ ଡିଗ୍ରୀ ତାପମାତ୍ରାରେ ସାଧାରଣ ଫ୍ରିଜରରେ ରଖାଯାଇ ପାରିବ ।