ଜିଏସଟି ପରିଷଦ ବୈଠକରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ରାଜ୍ୟଗୁଡ଼ିକୁ ମିଳିବ ଜିଏସଟି ସେସ୍ କ୍ଷତିପୂରଣ, ମିଳିବ ୨୦ ହଜାର କୋଟି ଟଙ୍କା

ଜିଏସଟି ବାବଦରେ ସଂପୂର୍ଣ୍ଣ କ୍ଷତିପୂରଣ ନେଇ ହୋଇପାରିଲାନି ସହମତି: ଅକ୍ଟୋବର ୧୨ରେ ପରବର୍ତ୍ତୀ ବୈଠକ

141

କନକ ବ୍ୟୁରୋ: ଜିଏସଟି ସେସ୍ ବାବଦରେ କ୍ଷତିପୂରଣ ଟଙ୍କା ରାଜ୍ୟଗୁଡିକୁ ଦେବେ କେନ୍ଦ୍ର ସରକାର । ଏ ନେଇ ପ୍ରାୟ ୨୦ ହଜାର କୋଟି ତୁରନ୍ତ ରିଲିଜ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସୋମବାର ଦିନ ୪୨ ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ମାରାଥନ ବୈଠକରେ କିନ୍ତୁ ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟଗୁଡିକୁ ମୋଟ ୯୭ ହଜାର କୋଟି ଟଙ୍କା ଦେବା ନେଇ ସହମତି ହୋଇ ପାରିନଥିଲା ।

ଜିଏସଟି କ୍ଷତିପୂରଣ ଓ କୋଭିଡ୍ ରିଲିଫ୍ ବାବଦରେ ମୋଟ ୨ ଲକ୍ଷ ୩୫ ହଜାର କୋଟି ଟଙ୍କା ଦେବାକୁ ରାଜ୍ୟଗୁଡିକ ପକ୍ଷରୁ ଦାବି କରାଯାଇଥିଲା । ଏ ନେଇ ନିଷ୍ପତି ହୋଇନପାରିବାରୁ ଅକ୍ଟୋବର ୧୨ ତାରିଖରେ ପୁଣି ବସିବ ବୈଠକ । ଜିଏସଟି କ୍ଷତିପୂରଣ ଭରଣା ପାଇଁ ରାଜ୍ୟଗୁଡିକୁ ଋଣ କରିବାକୁ ପରାମର୍ଶ ଦେଇଥିଲା କେନ୍ଦ୍ର । ୨୧ ରାଜ୍ୟ ଏପରି କରିବାକୁ ରାଜି ହୋଇଥିବା ବେଳେ ବିରୋଧୀ ଦଳ ଦ୍ୱାରା ଶାସିତ ୧୦ଟି ରାଜ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ସେପଟେ ଚଳିତ ବର୍ଷର ଜିଏସଟି ସେସ୍ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ରାଜି ହୋଇଥିବା ବେଳେ ସେସ୍ କ୍ଷତିପୂରଣକୁ ଆଉ ୫ ବର୍ଷ ବଢ଼ାଇ ଦିଆଯାଇଛି । ଜୁନ ୨୦୨୨ ମସିହାରେ ଏହାର ଅବଧି ଶେଷ ହେଉଥିଲା ।