ଚାଷୀଙ୍କୁ ନେଇ ପାଠଶାଳା । ତାଲିମ୍ ସହ ଆୟକୁ ବହୁଗୁଣା କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ କୃଷି ଓଡିଶା କାର୍ଯ୍ୟକ୍ରମ । ନବୀନ କହିଲେ, ଦେଶକୁ ଦିଶା ଦେଖାଇବ ‘କାଳିଆ’ ଯୋଜନା

ଯୋଜନାକୁ କୃଷି ବିଜ୍ଞାନୀ ଓ ସିଏସିପି ଅଧ୍ୟକ୍ଷଙ୍କ ପ୍ରଶଂସା

186

କନକ ବ୍ୟୁରୋ: ଚାଷୀଙ୍କୁ ନେଇ ପାଠଶାଳା । ଚାଷୀଙ୍କୁ ତାଲିମ୍ ଏବଂ ଚାଷୀଙ୍କ ଆୟକୁ ବହୁଗୁଣା କରିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଉଦ୍ଘାଟିତ ହୋଇଛି ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ- କୃଷି ଓଡ଼ିଶା । ଯେଉଁଥିରେ ଉନ୍ନତ ପ୍ରଣାଳୀରେ କୃଷକ କେମିତି, ଚାଷ କରିପାରିବେ, କେମିତି ଉତ୍ପାଦନ ବଢ଼ିବ ତା ଉପରେ ମନ୍ଥନ ଚାଲିଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଉଦ୍ଘାଟନ କରି, କୃଷି କ୍ଷେତ୍ରରେ ରାଜ୍ୟକୁ ଆହୁରି ଆଗକୁ ନେବା ପାଇଁ ଚାଷୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ କାଳିଆ ଯୋଜନାର ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଚାଷୀଙ୍କ ଆୟକୁ ବହୁଗୁଣିତ କରିବାର ଆହ୍ୱାନ ଦେଇ ରାଜ୍ୟ ସରକାର ପକ୍ଷରୁ ଆୟୋଜିତ କୃଷି ଓଡ଼ିଶା କାର୍ଯ୍ୟକ୍ରମର କେନ୍ଦ୍ର ବିନ୍ଦୁରେ ରହିଛି, ନିକଟରେ ଘୋଷଣା ହୋଇଥିବା କାଳିଆ ଯୋଜନା । କାଳିଆ ଯୋଜନାକୁ ରାଜ୍ୟ ସରକାରଙ୍କ ସବୁଠୁ ଭଲ ଯୋଜନା କହିବା ସହ ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯଦି କାଳିଆ ଯୋଜନାରେ ଦିଆଯାଉଥିବା ଆର୍ଥିକ ସହାୟତାକୁ ବାସ୍ତବରେ ଚାଷ କାର୍ଯ୍ୟରେ ବିନିଯୋଗ କରାଯିବ, ତେବେ ଚାଷୀଙ୍କ ରୋଜଗାର ପାଇଁ ବାଟ ଫିଟିଯିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ ପଞ୍ଜୀକରଣ ଆଜି ଶେଷ ହୋଇଥିବାବେଳେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଆଗାମୀ ୨୫ ତାରିଖରୁ ଫେବ୍ରୁଆରୀ ୫ ତାରିଖ ପର୍ଯ୍ୟନ୍ତ ରଖାଯାଇଛି । ଆଉ ଏହାରି ଭିତରେ କୃଷି ଓଡିଶା କର୍ମଶାଳାକୁ ଉଦଘାଟନ କରି ରାଜ୍ୟର କୃଷକମାନଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟକୁ କୃଷି କ୍ଷେତ୍ରରେ ଆହୁରି ଆଗକୁ ନେବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାର ସକାରତ୍ମକ ଦିଗକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ଚାଷ ଓ ଚାଷୀଙ୍କ ଉପରେ ଗବେଷଣା କରୁଥିବା କୃଷି ବିଜ୍ଞାନୀ । କହିଛନ୍ତି-ଏହି ଯୋଜନା ରାଜ୍ୟ ସରକାରଙ୍କ ଏକ ବଡ ଉବଲବ୍ଧୀ ହେବାକୁ ଯାଉଛି ।

 

ଏପଟେ ସିଏସିପିର ଅଧ୍ୟକ୍ଷ ମଧ୍ୟ ସରକାରଙ୍କ କୃଷି ନୀତିକୁ ପ୍ରଶଂସା କରିଛନ୍ତି । ଏପଟେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ନିଜସ୍ୱ ଢ଼ଙ୍ଗରେ ସମାଲୋଚନା କରିଛନ୍ତି ବିରୋଧୀ । ତେବେ ଆସନ୍ତା ୧୯ ତାରିଖ ଯାଏଁ ଚାଲିବ ଚାଷୀକୁ ନେଇ ଚାଷ ପାଠଶାଳା । ଯେଉଁଥିରେ ଚାଷୀଙ୍କୁ ଉନ୍ନତ ପ୍ରଣାଳୀରେ ଚାଷ କରି କିଭଳି ଅଧିକ ଉତ୍ପାଦନ କରିବେ ତାଉପରେ ଚାଷୀଙ୍କୁ ବାଟ ଦେଖାଇବେ ରାଜ୍ୟ ସରକାର ।