ନିର୍ବାଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ବଡ ଘୋଷଣା । ବଢିଲା ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକ, ସେପଟେ ଆଗାମୀ ୨୬ ସୁଦ୍ଧା ମିଳିବ କାଳିଆ ଯୋଜନା ଟଙ୍କା

285

କନକ ବ୍ୟରୋ: ଆସନ୍ତା ୨୬ ତାରିଖ ସୁଦ୍ଧା ମିଳିବ କାଳିଆ ଯୋଜନା ଟଙ୍କା । ପ୍ରଥମ ପର୍ଯ୍ୟାୟ ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ । ୧୨ ଲକ୍ଷ ୪୦ ହଜାର ହିତାଧିକାରୀଙ୍କ ଆକାଉଂଟକୁ ୨୬ ସୁଦ୍ଧା ଟଙ୍କା ଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି ଯେ, ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କ ଯାଂଚ ଚାଲିଛି । ଯାଂଚ ପରେ ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଟଙ୍କା ମିଳିବ । ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କୁ ଏହି କାଳିଆ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଚାଷୀଙ୍କୁ ସହାୟତା ପାଇଁ ‘କାଳିଆ’ ଯୋଜନା ଘୋଷଣା ପରେ ପଂଚାୟତ ଅଫିସରେ ଆବେଦନ ପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଏଥିପାଇଁ ପ୍ରଥମ ପର୍ଯ୍ୟାୟ ଆବେଦନ ତାରିଖକୁ ୧୫ଯାଏଁ ଘୁଂଚାଇ ଦେଇଛନ୍ତି ସରକାର ।

ସେପଟେ, ଅଙ୍ଗନବାଡି କର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ ଘୋଷଣା କରିଛନ୍ତି । ଏଣିକି ଅଙ୍ଗନବାଡି କର୍ମୀ ମାସିକ ୭ହଜାର ୫ଶହ ଟଙ୍କା ପାଇବେ । ପୂର୍ବରୁ ସେମାନଙ୍କୁ ୬ହଜାର ଟଙ୍କା ମିଳୁଥିଲା । ସେହିପରି ମିନି ଅଙ୍ଗନବାଡି କର୍ମୀ ପୂର୍ବରୁ ୪ହଜାର ୧୨୫ ଟଙ୍କା ପାଉଥିବା ବେଳେ ଏବେ ୫ ହଜାର ୩୭୫ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅଙ୍ଗନବାଡି ହେଲପର ମାନଙ୍କୁ ମାସିକ ୩ ହଜାର ୭୫୦ ଟଙ୍କା ମିଳିବ । ପୂର୍ବରୁ ସେମାନଙ୍କୁ ମାସିକ ୩ ହଜାର ଟଙ୍କା ମିଳୁଥିଲା । ସେହିପରି ଅଙ୍ଗନବାଡି କର୍ମୀଙ୍କ ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିଛନ୍ତି ସରକାର ।

ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି, ପିଛିଲା ଭାବେ ୨୦୧୮ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ । ଏଥିସହ ଅବସର ବେଳକୁ ଅଙ୍ଗନବାଡି କର୍ମୀଙ୍କୁ ସାମାଜିକ ସୁରକ୍ଷା ବାବଦରେ ୨୦ ହଜାର, ମିନି ଅଙ୍ଗନବାଡି କର୍ମୀଙ୍କୁ ୧୫ ହଜାର ଏବଂ ସହାୟିକାଙ୍କୁ ୧୦ ହଜାର ଟଙ୍କା ମିଳିବ । ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ବର୍ଷକୁ ୧୫ ଦିନର ଖରାଛୁଟି ବି ମିଳିବ । ଏଣିକି ଅଙ୍ଗନବାଡୀ ସୁପରଭାଇଜର ପଦବୀର ୫୦ ପ୍ରତିଶତ ଅଙ୍ଗନବାଡୀ କର୍ମୀ ମାନଙ୍କ ମଧ୍ୟରୁ ପୁରଣ କରାଯିବ । ରାଜ୍ୟ ସରକାରଙ୍କ ଏହି ଘୋଷଣା ଦ୍ୱାରା ରାଜ୍ୟର ୧ଲକ୍ଷ ୪୫ ହଜାର ଅଙ୍ଗନବାଡି କର୍ମୀ ଓ ସହାୟିକା ଉପକୃତ ହେବେ । .. ରାଜ୍ୟ ସରକାରଙ୍କ ଘୋଷଣା ପରେ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଭୁବନେଶ୍ୱର ଲୋଏର ପିଏମଜିରେ ଖୁସି ମନାଇଛନ୍ତି ଅଙ୍ଗନବାଡି କର୍ମୀ ।