୨୩ ବର୍ଷ ପରେ ହଟିଲା ଶତ୍ରୁତାର କଳାବାଦଲ ! ଏକାଠି ହେଲେ ଏସପି-ବିଏସପି ।

140

କନକ ବ୍ୟୁରୋ : ରାଜନୀତିରେ ସବୁଦିନ ପାଇଁ କେହି କାହାର ଶତ୍ରୁ ନୁହଁନ୍ତି, ଏସପି-ବିଏସପି ମହାମେଂଟ ପୁଣିଥରେ ଏହି ଉକ୍ତିକୁ ପ୍ରମାଣ କରିଛି । ପ୍ରାୟ ୨୩ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି ସାପ-ନେଉଳ ସଂପର୍କ ଭଳି ରାଜନୀତିର ଦୁଇ ଶତ୍ରୁ । ଦୁଇ ଦଶନ୍ଧୀକୁ ଅଧିôକ କାଳ ତୀବ୍ର ରାଜନୈତିକ ଶତ୍ରୁତା ଭିତରେ ଉଠୁଥିଲା ପଡୁଥିଲା ୟୁପି ରାଜନୀତି ।

୧୯୯୨ ମସିହା ବାବ୍ରୀ ମସଜିଦ୍ ଢ଼ାଂଚା ଭାଙ୍ଗିବା ପରେ ୟୁପିରେ ବିଜେପିକୁ ରୋକିବା ପାଇଁ ୧୯୯୩ ନିର୍ବାଚନରେ ଏକାଠି ହୋଇଥିଲେ ଏସପି ଓ ବିଏସପି । ନିର୍ବାଚନ ଫଳାଫଳ ମଧ୍ୟ ମୁଲାୟମ ସିଂହ ଯାଦବ ଓ କାଂଶୀରାମଙ୍କ ସପକ୍ଷରେ ଯାଇଥିଲା । ଏସପି-ବିଏସପି ମେଂଟ ସରକାରର ନେତୃତ୍ୱ ନେଇ ମୁଲାୟମ ବନିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଦୁଇ ବର୍ଷ ପରେ ଶୀର୍ଷରେ ପହଁଚିଥିଲା ସେମାନଙ୍କ ମଧ୍ୟରେ ତିକ୍ତତା । ରାଜରାସ୍ତା ଉପରେ ସଂଘର୍ଷ ଘଟିଥିଲା ଦୁଇ ଦଳର କର୍ମୀଙ୍କ ମଧ୍ୟରେ । ମୁଲାୟମ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା ବିଏସପି । ଏହା ପରେ ଯାହା ହୋଇଥିଲା, କଳଙ୍କର ଅଧ୍ୟାୟ ହୋଇରହିଛି ୟୁପି ରାଜନୀତିରେ ।

୧୯୯୫ ମସିହା ଜୁନ ୨ ତାରିଖ । ସ୍ଥାନ – ଲଖ୍ନୋ ସ୍ଥିତ ମୀରାବାଈ ଗେଷ୍ଟ ହାଉସ୍ । ନିଜ ଦଳର ବିଧାୟକଙ୍କ ସହ ବୈଠକ କରୁଥିଲେ ମାୟାବତୀ । ଏତିକି ବେଳେ ଗେଷ୍ଟ ହାଉସ ଆଡକୁ ମାଡି ଆସିଥିଲେ ସମାଜବାଦୀ ପାର୍ଟିର ଉତ୍ୟକ୍ତ କର୍ମୀ  । ମୀରାବାଈ ଗେଷ୍ଟ ହାଉସକୁ ଅକ୍ତିଆରକୁ ନେଇ ଆକ୍ରମଣ କରିଥିଲେ ମାୟାବତୀଙ୍କୁ । ଶହ ଶହ ଉତ୍ୟକ୍ତ କର୍ମୀଙ୍କ ଆଗରେ ଅସହାୟ ହୋଇ ପଡିଥିଲେ ଉପସ୍ଥିତ ଥିବା ବିଏସପି ବିଧାୟକମାନେ । ଏସପି କର୍ମୀମାନେ ମାୟାବତୀଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ମୁଲାୟମ ସିଂହ ମଧ୍ୟ ମାୟାବତୀଙ୍କ ବିରୋଧରେ ଆଶାଳୀନ ମନ୍ତବ୍ୟ ଦେଇଥିବା ଖବର ପ୍ରକାଶ ପାଇଥିଲା । ସମାଜବାଦୀ ପାର୍ଟି ସହ ବହୁଜନ ସମାଜବାଦୀ ପାର୍ଟି ଭବିଷ୍ୟତରେ କୌଣସି ସଂପର୍କ ରଖିବ ନାହିଁ ବୋଲି ବଜ୍ର ଶପଥ ନେଇଥିଲେ ମାୟାବତୀ । ଏହାପରେ ବିଜେପି ସହଯୋଗରେ ସରକାର ଗଢିଥିଲେ ମାୟାବତୀ ।

୨୩ ବର୍ଷ ପରେ ଭାଙ୍ଗିଲା ଶତ୍ରୁତାର ପାଚେରି । ସାପ-ନେଉଳ ମଧ୍ୟରେ ହେଲା ବନ୍ଧୁତା । ପୁଣି ଥରେ ଏକାଠି ହେଲେ ୟୁପି ରାଜନୀତିର ଦୁଇ ଶତ୍ରୁ । ନିଜ ନିଜର ରାଜନୈତିକ ଅସ୍ତିତ୍ୱ ବଜାୟ ରଖିବା ପାଇଁ ଏକାଠି ହୋଇଛନ୍ତି ଏସପି ଓ ବିଏସପି । ତେବେ ଏସପିର ନେତୃତ୍ୱ ଏବେ ମୁଲାୟମଙ୍କ ପରିବର୍ତେ ରହିଛି ଅଖିଳେଶଙ୍କ ହାତରେ । ମୋଦୀଙ୍କୁ ରୋକିବା ପାଇଁ ୟୁପି ରାଜନୀତିର ଏହି ପିଉସୀ-ପୁତୁରା ଯୋଡ଼ି ଶେଷରେ ବାଧ୍ୟ ହୋଇଛନ୍ତି ହାତ ମିଳାଇବାକୁ ।