ଭେଟର ଭିତିରି କଥା ! ସଂସଦରେ ସଂସଦୀୟ ଦଳ ସହ ନବୀନଙ୍କ ମନ୍ତ୍ରଣା

54

କନକ ବ୍ୟୁରୋ : ଦଳୀୟ ସାଂସଦ ଓ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଅସନ୍ତୋଷ ନେଇ ଚର୍ଚା ଭିତରେ ଆଜି ଦିଲ୍ଲୀ ସଂସଦୀୟ ଭବନରେ ସାଂସଦଙ୍କ ସହ ବୈଠକ କରିଛନ୍ତି ନବୀନ । ବାହାରକୁ ସବୁ କିଛି ଠିକଠାକ୍ ଲାଗୁଥିଲେ ମଧ୍ୟ ବୈଠକର ଅନ୍ଦର ମହଲର ଅସନ୍ତୋଷ କଥା ପଦାକୁ ଆସିଛି । ବୈଠକରେ ସାଂସଦ ମାନେ ନବୀନଙ୍କୁ ସିଧା ସିଧା ନିଜ ଅସନ୍ତୋଷ ଜଣାଇଛନ୍ତି ।

ସାଂସଦଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦାଣ୍ଡରେ ପଡି ହାଟରେ ଗଡିବା ପରେ ଆଜି ବସିଥିଲା ବୈଠକ । ହେଲେ ସାଂସଦଙ୍କ ସହ କଣ କଥାହେଲେ ସୁପ୍ରିମୋ? ପରାମର୍ଶ ଦେଲେ ନା ତାଗିଦ କଲେ? ବିଜେଡି ଅନ୍ଦର ମହଲର ଭିତିର କଥାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚା । ବୈଠକରେ ଉପସ୍ଥିତ ନଥିଲେ ସମସ୍ତ ସାଂସଦ । ଦିଲ୍ଲୀପ ତୀର୍କୀ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିନଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆସିନଥିଲେ ଦିଲ୍ଲୀପ ତୀର୍କୀ ଏବଂ ପ୍ରସନ୍ନ ଆଚାର୍ଯ୍ୟ । ତେବେ କାହିଁକି ଆସିଲେନି ଅନୁଭବ ତାହା ଅସ୍ପଷ୍ଟ ରହିଛି ।

ବାରମ୍ବାର ଟ୍ୱିଟ୍ କରି ଦଳର ଗହନ କଥା ପଦାକୁ ଆଣିଥିବା ସାଂସଦ ବୈଜୟନ୍ତ ପଣ୍ଡା କହିଥିଲେ, ସଂସଦୀୟ ଦଳରେ ସବୁ କିଛି ଠିକ୍ ନାହିଁ । ଦଳ ଠିକ୍ ଭାବରେ କାର୍ଯ୍ୟକରୁନି । ସେଥିପାଇଁ ନବୀନ ବାରମ୍ବାର ସଂସଦ ଆସିବା ଆବଶ୍ୟକ ।

ପଂଚାୟତ ନିର୍ବାଚନରେ ଦଳର ବିଫଳତା ନେଇ ବିଜେଡିରେ ଚାଲିଛି ସମୀକ୍ଷା । କୁହାଯାଉଛି, ସାଂସଦ ଓ ସ୍ଥାନୀୟ ବିଧାୟକ ମଧ୍ୟରେ ସମ୍ପର୍କ ଭଲ ରହିଲାନି । ଯାହାକୁ ବୈଠକରେ ଉଠାଇଥିଲେ କିଛି ସାଂସଦ । ବିଧାୟକ ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସାସଂଦ ।

ଭଦ୍ରକ ସାମ୍ପ୍ରଦାୟିକ ଦଙ୍ଗାକୁ ନିୟନ୍ତ୍ରଣ କରିବାରେ କିଛି ଅଧିକାରୀ ସେହିପରି ଭଦ୍ରକ ଘଟଣାକୁ କିଛି ଅଧିକାରୀ ଠିକ୍ ଭାବେ ନିୟନ୍ତ୍ରଣ କରିପାରିନଥିବା କହି ଅସନ୍ତୋଷ ପ୍ରକାଶ କରିଥିଲେ ସାଂସଦ ଅର୍ଜୁନ ସେଠୀ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ସଂସଦ ଭବନରେ ପ୍ରବେଶ କରିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସବୁ ସାଂସଦ ଆସିନଥିଲେ ।