ସମସ୍ତ କଳ୍ପନା ଜଳନାର ଅନ୍ତ ! ରାଜ୍ୟସଭା ଯିବେ ପ୍ରତାପ ଦେବ, ପ୍ରଦୀପ ଅମାତ ହେବେ ବିଧାନସଭା ବାଚସ୍ପତି

36

କନକ ବ୍ୟୁରୋ: ରାଜ୍ୟସଭା ପ୍ରାର୍ଥୀ ନେଇ ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଛି । ପ୍ରତାପ ଦେବ ହେବେ ରାଜ୍ୟସଭା ପ୍ରାର୍ଥୀ । ଦିଲ୍ଲୀରୁ ଫେରିବା ପରେ ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ରାଜ୍ୟସଭା ପ୍ରାର୍ଥୀ ହେବେ ପ୍ରତାପ ଦେବ । ବିଷ୍ଣୁ ଦାସଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡିଛି । ଏହାସହ ପ୍ରଦୀପ ଅମାତ ହେବେ ବିଧାନସଭା ବାଚସ୍ପତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦୀପ ଅମାତଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛନ୍ତି ।

ତେବେ ପ୍ରତାପ ଦେବଙ୍କୁ ରାଜ୍ୟସଭା ପ୍ରାଥୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବିଜେଡି ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି କୁହାଯାଉଛି । କାରଣ ଦିଲ୍ଲୀରେ ବିଜେଡି ସାଂସଦ ମାନଙ୍କୁ ଏକାଠି ରଖିବା ଏବଂ ଭୁବନେଶ୍ୱରରୁ ଯାଉଥିବା ନିର୍ଦ୍ଦେଶ ଠିକ ଭାବେ କାର୍ଯ୍ୟକାରୀ କରିବା ବିଜେଡି ସୁପ୍ରିମୋଙ୍କ ପାଇଁ ଅଡୁଆ ସୃଷ୍ଟି କରୁଥିଲା । ପ୍ରତାପ ଦେବ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଏ । ଏବଂ ଦଳରେ ତାଙ୍କର ଯଥେଷ୍ଟ ପ୍ରଭାବ ବି ରହିଛି । ଏସବୁ ଦୃଷ୍ଟି କୋଣରୁ ଦିଲ୍ଲୀ ବିଜେଡି ରାଜନୀତିରେ ପ୍ରତାପ ଦେବ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇପାରନ୍ତି । କିଛି ଦିନ ପୂର୍ବରୁ କେତେକ ଘଟଣାକ୍ରମ ବିଜେଡି ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦରେ ଏକା ଏକା ଚାଲି କେନ୍ଦ୍ର ମନ୍ତ୍ରୀଙ୍କୁ ଯାଇ ଭେଟିବା, ମହାନଦୀ ପ୍ରସଙ୍ଗରେ ସଂସଦ ଭବନ ପରିସରରେ ପ୍ରତିବାଦ ପାଇଁ ବିଜେଡି ସୁପ୍ରିମୋଙ୍କ ଆଦେଶ କାର୍ଯ୍ୟକାରୀ ନହେବା ନବୀନଙ୍କ ପାଇଁ ଅଡୁଆ ସୃଷ୍ଟି କରୁଥିଲା । ଏହା ପରେ ଅଚାନକ ଭାବରେ ବିଷ୍ଣୁ ଦାସଙ୍କୁ ରାଜ୍ୟସଭାରୁ ପ୍ରତ୍ୟାହାର କରାଯାଇଥିଲା । ଚର୍ଚ୍ଚା ହେଲା ଯେ ନବୀନଙ୍କ ବଡ ଭଉଣୀ ଗୀତା ମେହେଟ୍ଟା ରାଜ୍ୟସଭା ଯାଇପାରନ୍ତି । କିନ୍ତୁ ନବୀନ ପରବର୍ତୀ ସମୟରେ ଏହାକୁ ଖଣ୍ଡନ କରିଥିଲେ । ସେବେଠାରୁ ଦିଲ୍ଲୀକୁ କେଉଁ ରାଜନେତାଙ୍କୁ ପଠାଯିବ ତାକୁ ନେଇ କଳ୍ପନା ଜଳ୍ପନା ଜୋର ଧରିଲା । ଏବଂ ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।