ପୁଣି ଭାରତ ସୀମାରେ ପଶିଲା ଚୀନ୍ ! ଅରୁଣାଚଳ ପ୍ରଦେଶ ତୁତିଙ୍ଗ ଅଂଚଳର ୧ କିଲୋମିଟର ଯାଏଁ ପଶି ଆସିଥିଲେ ଚୀନ୍ ରାସ୍ତା ନିର୍ମାଣକାରୀ ଦଳ

47

କନକ ବ୍ୟୁରୋ : ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ । ଭାରତର ସୀମା ଭିତରକୁ ପଶିଆସିଛନ୍ତି ଚୀନର ରାସ୍ତା ନିର୍ମାଣକାରୀ ଦଳ । ଅରୁଣାଚଳ ପ୍ରଦେଶର ଟୁଟିଙ୍ଗ୍ ଅଂଚଳର ୧ କିଲୋମିଟର ଭିତରକୁ ପଶି ଆସିଥିବା ସୂଚନା ମିଳିଛି । ତେବେ ଭାରତୀୟ ସେନା ସେମାନଙ୍କୁ ପଛକୁ ହଟାଇ ଦେଇଛି । ଗତ ସପ୍ତାହରେ ଚୀନର କିଛି ଲୋକ ରାସ୍ତା ନିର୍ମାଣ ସରଂଜାମ ଧରି ଭାରତୀୟ ସୀମାର ୧ କିଲୋମିଟର ଭିତରକୁ ଆସିଥିବା ସୂଚନା ମିଳିଛି । ସୀମାରେ ପାଟ୍ରୋଲିଂ କରୁଥିବା ଆଇଟିବିପିର ଯବାନଙ୍କ ନଜରକୁ ଆସିବା ପରେ ସେମାନଙ୍କୁ ସୀମା ବାହାରକୁ ପଠାଇ ଦିଆଯାଇଛିି ।

india china warଏହା ସହ ରାସ୍ତା ନିର୍ମାଣ ପାଇଁ ଆଣିଥିବା ସରଂଜାମକୁ ମଧ୍ୟ ଜବତ କରାଯାଇଛି । ତେବେ ରାସ୍ତା ନିର୍ମାଣକାରୀ ଦଳ ସହ କିଛି ସାଦା ପୋଷାକରେ କିଛି ଚୀନ ସୈନ୍ୟ ଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ସିକିମ୍ ସେକ୍ଟରରେ ଲାଗିଥିବା ଡୋକଲାମ୍ ବିବାଦର ୪ ମାସ ପରେ ଏପରି ସ୍ଥିତି ପୁଣି ଥରେ ଦେଖିବାକୁ ମିଳିଛି । ହେଲେ ଦୁଇ ପକ୍ଷ ମଧ୍ୟରେ ଏ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ଜଣାପଡିଛି । ତେବେ ଭାରତୀୟ ସୀମାର ୭ କିଲୋମିଟର ଦୂରରେ ସିଆଙ୍ଗ୍ ନଦୀର ଦକ୍ଷିଣ ପାଶ୍ୱର୍ରେ ଚୀନ ରାସ୍ତା ନିର୍ମାଣ କରୁଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ଲୋକ । ସେପଟେ ଭାରତ ଓ ଚୀନର ସେନା ଦୁଇ ପାଖରେ ଟେଂଟ୍ ପକାଇ ଜଗି ରହିଥିବା ଦେଖିବାକୁ ମିଳିଛି । ଆଇଟିବିପି ଫୋର୍ସ ସହ ଭାରତୀୟ ସେନା ଏହିଠାରେ ଜଗି ରହିଛନ୍ତି । ତେବେ ଏ ନେଇ ସରକାର କିମ୍ବା ସେନା ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।