ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ ଦୀପକ ମିଶ୍ର ! ୪୫ତମ ମୁଖ୍ୟ ବିଚାରପତି ଭାବେ ଶପଥ ପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

54

କନକ ବ୍ୟୁରୋ: ଦେଶର ୪୫ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଦୀପକ ମିଶ୍ର ଆଜି ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଦୀପକ ମିଶ୍ରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଏହି ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ଶପଥ ଗ୍ରହଣ ପରେ ଜଷ୍ଟିସ ମିଶ୍ର ପ୍ରଧାନ ବିଚାରପତିଙ୍କ(୧ନଂ କୋର୍ଟ ରୁମ୍)ରୁ ବିଭିନ୍ନ ମାମଲାର ଶୁଣାଣି ଆରମ୍ଭ କରିବେ । ପ୍ରଥମ ଦିନରେ ସେ ୭୨ ମାମଲାର ଶୁଣାଣି କରିବେ ବୋଲି କୋର୍ଟ ରେଜିଷ୍ଟ୍ରାରଙ୍କ ଦ୍ୱାରା ପ୍ରକାଶିତ ଦୈନନ୍ଦିନ ଶୁଣାଣି ସଂପର୍କିତ ତାଲିକାରେ ଉଲ୍ଲେଖ କରାଯାଇଛି ।

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ପଦ ପାଇଁ ଜଷ୍ଟିସ ଦୀପକ ମିଶ୍ରଙ୍କ ନାମକୁ ଆଜି ଅବସର ଗ୍ରହଣ କରିଥିବା ପ୍ରଧାନ ବିଚାରପତି ଜଷ୍ଟିସ ଜେଏସ୍ ଖେହର ଜୁଲାଇ ମାସରେ ହିଁ ସୁପାରିଶ କରିବା ପରେ ଏହାକୁ କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ପଠାଇ ଦିଆଯାଇଥିଲା । ଚଳିତ ମାସ ୮ତାରିଖରେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ରୂପେ ଜଷ୍ଟିସ ଦୀପକ ମିଶ୍ରଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ ।

୪ ହାଇକୋର୍ଟର ବିଚାରପତି, ୨ଟିରେ ମୁଖ୍ୟ ବିଚାରପତି

୧୯୯୬, ଜାନୁଆରି ୧୭ରେ ଓଡିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଜଷ୍ଟିସ ଦୀପକ ମିଶ୍ର ନିଯୁକ୍ତି ପାଇଥିଲେ । ୧୯୯୭, ମାର୍ଚ୍ଚ ୩ରେ ତାଙ୍କର ମଧ୍ୟପ୍ରଦେଶ ହାଇକୋର୍ଟକୁ ବଦଳି ହୋଇଥିଲା । ୧୯୯୭, ଡିସେମ୍ବର ୧୯ରେ ସେ ସ୍ଥାୟୀ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ୨୦୦୯, ଡିସେମ୍ବର ୨୩ରେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୧୦, ମେ’ ୨୪ରେ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ବେଳେ ଜଷ୍ଟିସ ମିଶ୍ର ୨୦୧୧, ଅକ୍ଟୋବର ୧୦ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଜଷ୍ଟିସ ମିଶ୍ର ୨୦୧୮, ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ ।

ତୃତୀୟ ଓଡ଼ିଆ ପ୍ରଧାନ ବିଚାରପତି

ଜଷ୍ଟିସ ମିଶ୍ର ଦେଶର ୪୫ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ଅନ୍ୟପକ୍ଷରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦ ଅଳଙ୍କୃତ କରିବାରେ ସେ ହେବେ ତୃତୀୟ ଓଡ଼ିଆ । ପୂର୍ବରୁ ଜଷ୍ଟିସ ରଙ୍ଗନାଥ ମିଶ୍ର ୧୯୯୦, ସେପ୍ଟେମ୍ବର ୨୫ରେ ପ୍ରଥମ ଓଡିଆ ଭାବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରେ ନିଯୁକ୍ତି ପାଇଥିଲେ । ଜଷ୍ଟିସ ରଙ୍ଗନାଥ ମିଶ୍ର ୧୯୯୧, ନଭେମ୍ବର ୨୪ରେ ଅବସର ଗ୍ରହଣ କରିଥିଲେ । ସେ ଥିଲେ ଦେଶର ୨୧ତମ ପ୍ରଧାନ ବିଚାରପତି । ଏହାପରେ ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ଦ୍ୱିତୀୟ ଓଡିଆ ଭାବେ ଦେଶର ପ୍ରଧାନ ବିଚାରପତି ପଦରେ ୨୦୦୨, ନଭେମ୍ବର ୮ରେ ନିଯୁକ୍ତି ପାଇଥିଲେ । ସେ ସେହିବର୍ଷ ଡିସେମ୍ବର ୧୯ରେ ଅବସର ନେଇଥିଲେ । ସେ ଥିଲେ ଦେଶର ୩୨ତମ ପ୍ରଧାନ ବିଚାରପତି । ତୃତୀୟ ଓଡିଆ ଭାବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରେ ନିଯୁକ୍ତି ପାଇବାକୁ ଯାଉଥିବା ଜଷ୍ଟିସ ମିଶ୍ର ୨୦୧୮, ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ।

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପୁଅ ପରେ ନାତି

ଜଷ୍ଟିସ ଦୀପକ ମିଶ୍ର ସ୍ୱର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାତି । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପୁଅ ପଣ୍ଡିତ ରଘୁନାଥ ମିଶ୍ର ହେଉଛନ୍ତି ଜଷ୍ଟିସ ଦୀପକ ମିଶ୍ରଙ୍କ ବାପା । ପଣ୍ଡିତ ଗୋଦାବରୀଶଙ୍କ ଅନ୍ୟ ଜଣେ ପୁଅ ଜଷ୍ଟିସ ରଙ୍ଗନାଥ ମିଶ୍ର ଭାରତର ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିଥିବା ବେଳେ ଲୋକନାଥ ମିଶ୍ର ଥିଲେ ଆସାମ ରାଜ୍ୟର ରାଜ୍ୟପାଳ । ପୂର୍ବରୁ ପଣ୍ଡିତ ଗୋଦାବରୀଶଙ୍କ ପୁଅ ଭାରତର ପ୍ରଧାନ ବିଚାରପତି ହୋଇ ଓଡ଼ିଶା ପାଇଁ ଇତିହାସ ରଚିଥିବା ବେଳେ ବର୍ତ୍ତମାନ ନାତି ଜଷ୍ଟିସ ଦୀପକ ମିଶ୍ର ଏହି ସମ୍ମାନଜନକ ପଦରେ ନିଯୁକ୍ତି ପାଇ ଓଡିଆ ଜାତି ପାଇଁ ଗୌରବ ଆଣି ଦେଇଛନ୍ତି ।