ବଡଦାଣ୍ଡରେ ଲୀଳା ଲଗାଇବା ପରେ ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ । ଆଜିଠୁ ଆରମ୍ଭ ହେବ ଆଡ଼ପ ଦର୍ଶନ, ବାହାରିବ ଆଡ଼ପ ଅବଢା

131

କନକ ବ୍ୟୁରୋ : ରତ୍ନବେଦି ଛାଡି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଶ୍ରୀଜିଉ ବଡଦାଣ୍ଡରେ ଲୀଳା ଲଗାଇବା ପରେ ଜନ୍ମବେଦିକୁ ବିଜେ କରିଛନ୍ତି । ମହାପ୍ରଭୁ ଆଡପ ମଣ୍ଡପ ବିଜେ କରିବା ପରେ ଆଜିଠୁ ଭକ୍ତମାନେ ଆଡପ ଦର୍ଶନ କରିବେ । ଏହା ସହ ଆଜିଠୁ ମିଳିବ ଆଡପ ଅବଢା । ବାହୁଡା ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ମିଳିବ । ଏଥିପାଇଁ ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି ।
ବର୍ଷକୁ ଥରେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଦୁଇ ବର୍ଷ ଧରି ଭକ୍ତ ଆଡପ ଦର୍ଶନରୁ ବଂଚିତ ହୋଇଥିବାରୁ ଆଜି ପ୍ରବଳ ଗହଳି ହେବାର ସମ୍ଭାବନା ରହିଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଆଜି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ଚୂଡାନ୍ତ କରିଛି । ଗତକାଲି ଭକ୍ତିମୟ ପରିବେଶରେ ଜନ୍ମବେଦୀକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତି । ଭକ୍ତଙ୍କ ଗହଣରେ ଶରଧାବାଲିରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋଟି ପହଣ୍ଡିରେ ଯାଇଥିଲେ କାଳିଆ ଠାକୁର । ଆଡ଼ପବିଜେ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଶରଧାବାଲିରେ ଭିଡ ଜମାଇଥିଲେ । ମହାପ୍ରଭୁଙ୍କୁ ପାଖରୁ ଦେଖିବା ପାଇଁ, ମହାବାହୁଙ୍କ ଦର୍ଶନ କରି ଆଶୀର୍ବାଦ ନେବା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ ଶରଧାବାଲିରେ ଜମିଥିଲା । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଶ୍ରୀଗୁଣ୍ଡିଚା ମନ୍ଦିର ।