ବାପାଙ୍କ ମୃତ୍ୟୁ ଦେଖାଇଲା ଅନେକଙ୍କୁ ବଂଚାଇବାର ରାହା ! ସ୍ମିତା . . ଦୁର୍ନୀତିମୁକ୍ତ ଏବଂ ଲୋକପ୍ରିୟ ଖାକି ବର୍ଦ୍ଦିର କାହାଣୀ

66

ପୁଲିସ୍ ନାଁ କହିଲେ ହଠାତ୍ ଆପଣଙ୍କ ମନକୁ କଣ ଆସେ ? ନିଶ୍ଚିତ ଭାବରେ ଜଣେ ଲାଂଚୁଆ, ଦୁର୍ନୀତିର ବୁଢିଆଣି ଜାଲରେ ଛନ୍ଦି ହୋଇ ପଡିଥିବା ଜଣେ ଖାକି ବର୍ଦ୍ଦି ପିନ୍ଧା ଲୋକଟିଏ । ଯେଉଁମାନଙ୍କ ଲାଂଚ ସେମାନଙ୍କ ଦରମାଠାରୁ ଢେର୍ ଅଧିକ । ତେଣୁ କଥାରେ ଅଛି ‘ଚାକିରି କରିବ ପୁଲିସି , ମାଛ ଖାଇବ ଇଲିଶି’ ।

କିନ୍ତୁ ଛତିଶଗଡର ଜଣେ ମହିଳା କନେଷ୍ଟବଳ ସ୍ମିତା ତାଣ୍ଡି ଏହାକୁ ଭୁଲ୍ ବୋଲି ପ୍ରମାଣିତ କରି ଦେଖାଇଛନ୍ତି । ସ୍ମିତା ନା କେବଳ ଦୁର୍ନୀତିଠାରୁ ନିଜକୁ ଦୂରେଇ ରଖିଛନ୍ତି ବରଂ ଲୋକପ୍ରିୟତାରେ ମୁଖ୍ୟମନ୍ତ୍ରୀ ରମନ ସିଂହଙ୍କୁ ଟକ୍କର ଦେଇଛନ୍ତି । ଜାଣି ଆର୍ଶ୍ଚଯ୍ୟ ହେବେ ଫେସବୁକରେ ସ୍ମିତାଙ୍କର ଫଲୋଅର୍ସଙ୍କ ସଂଖ୍ୟା ୭ ଲକ୍ଷ ଯାହା ରମନ ସିଂହଙ୍କଠାରୁ ମାତ୍ର ୩ ଲକ୍ଷ କମ୍ ।

ଏବେ ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଉଙ୍କି ମାରୁଥିବ ଯେ ଜଣେ ପୁଲିସ୍ ଅଫିସର୍ ଦୁର୍ନୀତି ମୁକ୍ତ ବୋଲି କଣ ଏତେ ଲୋକପ୍ରିୟ । ତେବେ ସ୍ମିତାଙ୍କ ଲୋକପ୍ରିୟତା ପଛରେ ରହିଛି ଏକ ହୃଦୟସ୍ପର୍ଶୀ କାହାଣୀ । ଯାହା ତାଙ୍କୁ ଛତିଶଗଡର ଲୋକଙ୍କ ହୃଦୟରେ ଦେଇଛି ଏକ ସ୍ୱତନ୍ତ୍ର ସ୍ଥାନ ।

ସ୍ମିତା ୨୦୧୧ରେ ପୁଲିସରେ ଯୋଗ ଦେଇଥିଲେ । ଚାକିରିରେ ଯୋଗ ଦେବାର ମାତ୍ର ଦୁଇ ବର୍ଷ ପରେ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହୋଇଥିଲା । ହେଲେ କନେଷ୍ଟବଳ ଥିବା ସ୍ମିତାଙ୍କ ପାଖରେ ବାପାଙ୍କ ଚିକିତ୍ସା ପାଇଁ ବାଧକ ସାଜିଥିଲା ଅର୍ଥ । ଆଉ ଉପଯୁକ୍ତ ଚିକିତ୍ସାର ଅଭାବ ସାଜିଥିଲା ତାଙ୍କ ବାପାଙ୍କ ହତ୍ୟାକାରୀ ।

ତେବେ ବାପାଙ୍କ ମୃତ୍ୟୁ ସ୍ମିତାଙ୍କୁ ଦେଖାଇଥିଲା ଅନ୍ୟମାନଙ୍କୁ ବଂଚାଇବାର ରାହା । ମାର୍ଚ୍ଚ ୨୦୧୫ରେ ସ୍ମିତା ଫେସବୁକରେ ଆକାଉଂଟ୍ ଖୋଲିବା ସହ ଏକ ଅଭିଯାନ ଆରମ୍ଭ କଲେ । ଯାହାର ଉଦ୍ଦେଶ୍ୟ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା କରିପାରୁନଥିବା ପରିବାରକୁ ଅର୍ଥ ଯୋଗାଇବା । ଆଉ ଏଥିରେ ସ୍ମିତାଙ୍କୁ ସାହାଯ୍ୟ କଲେ ତାଙ୍କ ସହ ଫେସବୁକରେ ଯୋଡି ହୋଇଥିବା ଫଲୋଅର୍ସ । ମାତ୍ର ୨୦ମାସ ମଧ୍ୟରେ ଫେସବୁକରେ ସ୍ମିତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ପହଂଚିଗଲା ୭ଲକ୍ଷରେ ।

ସ୍ମିତା ଚାହିଁଥିଲେ ଖାକି ବର୍ଦ୍ଦିର ଲାଭ ଉଠାଇ ଲାଂଚ ନେଇ ନିଜ ବାପାଙ୍କ ଜୀବନ ବଂଚାଇ ପାରିଥାନ୍ତେ  । କିନ୍ତୁ ସେପରି ନକରି ସ୍ମିତା ଏବେ ଅନ୍ୟମାନଙ୍କ ପାଇଁ ପାଲଟି ଯାଇଛନ୍ତି ଅନନ୍ୟ ଉଦାହରଣ   ।