ଈସାଈ କିମ୍ବା ଇସ୍ଲାମ ଧର୍ମ ପରିବର୍ତ୍ତନ କରୁଥିବା ଦଳିତ ମାନଙ୍କୁ ମିଳିବନି ସଂରକ୍ଷଣ ସୁବିଧା । ସଂରକ୍ଷିତ ଆସନରୁ ଲଢି ପାରିବେନି ନିର୍ବାଚନ

490

କନକ ବ୍ୟୁରୋ : ଅନୁସୂଚିତ ଜାତିକୁ ନେଇ ରାଜ୍ୟସଭାରେ ବଡ ବୟାନ ରଖିଛନ୍ତି ଆଇନମନ୍ତ୍ରୀ ରବିଶଂକର ପ୍ରସାଦ । ଆଜି ରାଜ୍ୟସଭାରେ ଶ୍ରୀ ପ୍ରସାଦ କହିଛନ୍ତି କି ଯଦି ଅନୁସୂଚିତ ଜାତିର କୌଣସି ବ୍ୟକ୍ତି ଈସାଈ କିମ୍ବା ଇସ୍ଲାମ ଧର୍ମ ଗ୍ରହଣ କରେ ତେବେ ତାକୁ ସଂରକ୍ଷଣ ସୁବିଧାରୁ ବଞ୍ଚିତ କରାଯିବ । ଏହା ସହ ସେମାନେ ସଂରକ୍ଷଣ ସଂସଦୀୟ କିମ୍ବା ବିଧାନସଭା ଆସନରୁ ନିର୍ବାଚନ ଲଢି ପାରିବେ ନାହିଁ ।

ଆଜି ରାଜ୍ୟସଭାରେ ବିଜେପି ସାଂସଦ ଯିବିବେଲ ନରସିଂହ ରାଓଙ୍କ ପ୍ରଶ୍ନର ଉତ୍ତର ଦେଇ ରବିଶଂକର ପ୍ରସାଦ କହିଥିଲେ ଯେଉଁମାନେ ହିନ୍ଦୁ, ଶିଖ ଓ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି ସେମାନେ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ଆସନରୁ ନିର୍ବାଚନ ଲଢି ପାରିବେ । ଉପରୋକ୍ତ ଧର୍ମରେ ସାମିଲ ହୋଇଥିବା ଲୋକଙ୍କୁ ସଂରକ୍ଷଣର ସୁବିଧା ମିଳିବ ।

ଏହା ସହ ସଂରକ୍ଷିତ ସାମ୍ବିଧାନିକ କ୍ଷେତ୍ରରୁ ନିର୍ବାଚନ ଲଢିବା ନେଇ ଥିବା ମାପଦଣ୍ଡ ବାବଦରେ ଶ୍ରୀ ପ୍ରସାଦ କହିଛନ୍ତି କି ସମ୍ବିଧାନରେ ଥିବା ଅନୁସୂଚିତ ପାରା ୩ ଅନୁଯାୟୀ କୌଣସି ବ୍ୟକ୍ତି ଯଦି ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମ ବ୍ୟତିତ ଅନ୍ୟ ଧର୍ମକୁ ନେଇ ଦାବି କରେ ତାହେଲେ ତାକୁ ଅନୁସୂଚିତ ଜାତିର ସଦସ୍ୟ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ।

ଏଭଳି ଏକ ମାମଲାକୁ ନେଇ ୨୦୧୫ ମସିହାରେ ଅଦାଲତ ତାଙ୍କ ମତ ରଖିଥିଲେ । ଅଦାଲତ କହିଥିଲେ କି ଯଦି କୌଣସି ବ୍ୟକ୍ତି ହିନ୍ଦୁ ଧର୍ମ ଛାଡି ଇସାଇ ଧର୍ମ ଗ୍ରହଣ କରେ ତେବେ ତା ପାଇଁ ଆର୍ଥିକ ଓ ସାମାଜିକ ସମସ୍ୟା ଉପୁଜିଥାଏ । ଏଭଳି ପରିସ୍ଥିତିରେ ତାଙ୍କୁ କୌଣସି ସୁରକ୍ଷା ଦେବାର ଆବଶ୍ୟକତା ନାହିଁ । ରବିଶଙ୍କର ସ୍ପଷ୍ଟ କରିଛନ୍ତି କି ଇସ୍ଲାମ ଓ ଈସାଈ ଧର୍ମ ଗ୍ରହଣ କରୁଥିବା ଦଳିତ ଓ ହିନ୍ଦୁ ଧର୍ମ ଗ୍ରହଣ କରୁଥିବା ଦଳିତ ମାନଙ୍କ ମଧ୍ୟରେ ପାର୍ଥକ୍ୟ ରହିଛି ।