ଫେବୃଆରୀ ୧୮ରେ ଆଇପିଏଲ୍ ଖେଳାଳି ନିଲାମ । ୨୯୨ ଜଣ କ୍ରିକେଟରଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ବିସିସିଆଇ କଲା ତାରିଖ ଘୋଷଣା ।

138

କନକ ବ୍ୟୁରୋ: ଆଇପିଏଲ୍ ଆଗାମୀ ସିଜିନ୍ ପାଇଁ ଘୋଷଣା ହୋଇଛି ଖେଳାଳି ନିଲାମ ତାରିଖ । ଫେବୃଆରୀ ୧୮ ତାରିଖରେ ଆଇପିଏଲର ଆଗାମୀ ସିଜିନ୍ ପାଇଁ ହେବ ଖେଳାଳି ନିଲାମ । ଯେଉଁଥିରେ ଫ୍ରାଚାଂଇଜମାନେ ଆଗାମୀ ସିଜିନ୍ ପାଇଁ ଖେଳାଳିମାନଙ୍କୁ କିଣି ନିଜ ଦଳରେ ସାମିଲ କରିବେ । ଏଥିପାଇଁ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଯାଇଛି । ଏଥର ନିଲାମରେ ମୋଟ ୨୯୨ ଜଣ କ୍ରିକେଟରଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଯେଉଁମାନଙ୍କ ଭିତରେ ୧୬୪ ଜଣ ଇଣ୍ଡିଆନ୍ କ୍ରିକେଟର ଥିବାବେଳେ ୧୨୫ ଜଣ ବିଦେଶୀ ଖେଳାଳି ଓ ଆସୋସିଏଟ୍ ଦେଶର ୩ ଜଣ ଖେଳାଳି ସାମିଲ ଅଛନ୍ତି ।

୨୦୨୧ ମସିହାର ଆଇପିଏଲ୍ ମିନି ନିଲାମ ପାଇଁ ମୋଟ ୧୧୧୪ ଜଣ କ୍ରିକେଟ୍ ନାଁ ରେଜିଷ୍ଟ୍ରେସନ କରିଥିଲେ । ହେଲେ ସବୁ ଫ୍ରାଚାଂଇଜଠାରୁ ସର୍ଟ ଲିଷ୍ଟ ପାଇବା ପରେ ୨୯୨ ଜଣ ଖେଳାଳିଙ୍କୁ ନିଲାମ ପାଇଁ ବଛାଯାଇଛି । ଯେଉଁମାନଙ୍କ ନାଁ ଏଥର ନିଲାମ ପ୍ରକ୍ରିୟାରେ ଶୁଣିବାକୁ ମିଳିବ । ଆଉ ଫ୍ରାଚାଂଇଜମାନେ ସେମାନଙ୍କ ଇଚ୍ଛା ଅନୁଯାୟୀ ସେମାନଙ୍କୁ କିଣିବେ । ଏହି ନିଲାମ ପାଇଁ ଖେଳାଳିମାନଙ୍କୁ ବିଭିନ୍ନ ବର୍ଗରେ ବଂଟାଯାଇଛି । ୨ କୋଟି ବେସ ପ୍ରାଇସରେ ମୋଟ ୧୦ ଜଣ ଖେଳାଳି ଥିବାବେଳେ,ଦେଢ କୋଟି ବେସ୍ ପ୍ରାଇସରେ ୧୨ ଜଣ, ୧ କୋଟି ବେସ ପ୍ରାଇସରେ ୧୧ ଜଣ ଖେଳାଳି ସାମିଲ ଅଛନ୍ତି । ଗୁରୁତ୍ୱପୂଣ୍ଣ କଥା ହେଉଛି ଭାରତୀୟ ଖେଳାଳି ଭାବେ ହରଭଜନ ସିଂହ ଓ କେଦାର ଯାଦବଙ୍କ ବେସ ପ୍ରାଇସ୍ ୨ କୋଟି ରହିଛି । ସେହିଭଳି ବିଦେଶୀ ଖେଳାଳିଙ୍କ ଭିତରେ ଗ୍ଲେନ୍ ମାକ୍ସୱେଲ, ଷ୍ଟିଭ୍ ସ୍ମିଥ, ସକିବ ଅଲ ହାସନ ଓ ମୋଇନ୍ ଅଳ୍ଲୀଙ୍କ ଭଳି ୮ ଜଣ ଖେଳାଳିଙ୍କ ବେସ୍ ପ୍ରାଇସ୍ ୨ କୋଟି ରହିଛି ।

ଏଥର ଖେଳାଳି ନିଲାମ ପାଇଁ କିଙ୍ଗସ୍ ଇଲେଭେନ ପଞ୍ଜାବ ପାଖରେ ସବୁଠୁ ଅଧିକ ଟଙ୍କା ରହିଛି । ଦଳ ହାତରେ ଏବେ ୫୩ କୋଟିରୁ ଅଧିକ ଟଙ୍କା ରହିଥିବାବେଳେ ଦଳ ନିଲାମରେ ମୋଟ ୧୪ ଖେଳାଳିଙ୍କୁ କିଣିପାରିବ । ସେହିଭଳି ଆରସିବି ଓ ରାଜସ୍ଥାନ ରୟାଲ୍ସ ପାଖରେ ବି ୩୫ କୋଟିରୁ ଅଧିକ ଟଙ୍କା ରହିଛି । ଯାହା ଏହି ଦଳମାନଙ୍କୁ ନିଲାମ ପ୍ରକ୍ରିୟାରେ ଆଗରେ ରଖିବ । ସେହିଭଳି ସିଏସକେ ପାଖରେ ୧୯.୯ କୋଟି, ଦିଲ୍ଲୀ ପାଖରେ ୧୩.୪ କୋଟି, କୋଲକାତା ପାଖରେ ୧୦.୭୫ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୧୫.୩୫ କୋଟି ଏବଂ ହାଇଦ୍ରାବାଦ ପାଖରେ ୧୦.୭୫ କୋଟି ଟଙ୍କା ବଳକା ରହିଛି । ଯାହାକୁ ସେମାନେ ଖେଳାଳି ନିଲାମରେ ବ୍ୟବହାର କରିବେ ।

ଗତବର୍ଷ କୋଭିଡ୍ ପାଇଁ ଆଇପିଏଲ ୟୁଏଇରେ ଆୟୋଜିତ ହୋଇଥିଲା । ହେଲେ ଚଳିତ ବର୍ଷ ଏହା ଭାରତରେ ଆୟୋଜନ ହେବ । ଗତବର୍ଷ ପଡିଆରେ ମ୍ୟାଚ୍ ଦେଖିପାରିନଥିବା ଦର୍ଶକ ଲାଇଭରେ ଆଇପିଏଲ ଦେଖିବାକୁ ଅନେଇ ବସିଛନ୍ତି । ତେବେ ଆଇପିଏଲ୍ ଆରମ୍ଭ ହେବାର ପ୍ରଥମ ପର୍ବ ଖେଳାଳି ନିଲାମ ପ୍ରକ୍ରିୟା ଫେବୃଆରୀ ୧୮ରେ ହେବାକୁ ଯାଉଛି ।