କୁଆଡେ ଗଲେ ଚନ୍ଦକା-ଡମପଡା ଅଭୟାରଣ୍ୟର ମୟୂର । ଜଙ୍ଗଲରେ ନିଆଁ ଲାଗିବା ପରେ ଦେଖିବାକୁ ମିଳୁନି ଜାତୀୟ ପକ୍ଷୀଙ୍କ ଗହଳି ।

83

କନକ ବ୍ୟୁରୋ: ବିପଦରେ କି ଜାତୀୟ ପକ୍ଷୀ । ଆମେ କହୁଛୁ ଚନ୍ଦକା ଡମପଡା ଅଭୟାରଣ୍ୟ କଥା । ଗତ କିଛିଦିନ ତଳେ ଚନ୍ଦକା ପାହାଡର କିଛି ଅଚଂଳରେ ନିଆଁ ଲାଗିଥିଲା । ସେଠାରେ ନିଆଁ ଲାଗିବା ପରଠାରୁ ମୟୂରଙ୍କ ସଂଖ୍ୟା ହ୍ରାସ ପାଇଥିବା ଅନୁମାନ କରାଯାଉଛି । ଅଭୟାରଣ୍ୟ ଭିତରେ ଆଉ ସେତେ ସଂଖ୍ୟକ ମୟୂର ଦେଖିବାକୁ ମିଳୁନାହିଁ । ତେବେ ପ୍ରକୃତ କଥା କଣ, ସେ ଉତ୍ତର କେବଳ ବନ ବିଭାଗ ପାଖରେ ରହିଛି ।

ପୂର୍ବରୁ ଚନ୍ଦକା ଅଭୟାରଣ୍ୟର ପ୍ରାକୃତିକ ଉଦ୍ୟାନରେ ଜାତୀୟ ପକ୍ଷୀଙ୍କ କୋଳାହଳ ଶୁଣିବାକୁ ମିଳୁଥିଲା । ଅଭୟାରଣ୍ୟର ଚାରିଆଡେ ଦଳଦଳ ହୋଇ ମୟୁରଙ୍କୁ ଦେଖିବାକୁ ମିଳେ । ହେଲେ ଚନ୍ଦକା ପାହାଡରେ ନିଆଁ ଲାଗିବା ପରଠାରୁ ଆଉ ସେମିତି ମୟୂରଙ୍କୁ ଦେଖିବାକୁ ମିଳୁନାହିଁ । ଗୋଟିଏ-ଦୁଇଟି ମୟୁରଙ୍କୁ ଦେଖିବାକୁ ମିଳୁଛି । ସେପଟେ ପାହାଡରେ ନିଆଁ ଲାଗିବା ଫଳରେ ମୟୁରମାନେ ପ୍ରଭାବିତ ହୋଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅଭୟାରଣ୍ୟର ସ୍ଥିତି ପରଖିବା ପରେ ଆଗ ଭଳି ମୟୂରଙ୍କୁ ଦେଖିବାକୁ ମିଳି ନାହିଁ । କାଁ ଭାଁ ଗୋଟିଏ ଦୁଇଟି ମୟୂରଙ୍କୁ ଦେଖିବାକୁ ମିଳିଥିଲା । ମୟୂରମାନେ ଅତ୍ୟଧିକ ଉତ୍ତାପ ସହି ପାରନ୍ତି ନାହିଁ । ପାହାଡରେ ନିଆଁ ଲାଗିବା ଯୋଗୁଁ ସେମାନେ ଅନ୍ୟତ୍ର ଚାଲି ଯାଇଥାଇପାରନ୍ତି ବୋଲି କିଛି ଲୋକ ମତ ରଖିଛନ୍ତି । ତେବେ ପ୍ରକୃତ ସତ କଣ ତାହା କେବଳ ବନ ବିଭାଗକୁ ହିଁ ଜଣା ।