ପଦ୍ମପୁରରେ କେନ୍ଦ୍ରୀୟ ଟିମର ରେଡ୍ । ଦୋଳିରେ ବସି ଝୁଲୁଛନ୍ତି ଆଇଟି ଅଫିସର ।

432

କନକ ବ୍ୟୁରୋ: ପଦ୍ମପୁରରେ କେନ୍ଦ୍ରୀୟ ଟିମର ରେଡ୍ ଭିତରେ ଆକର୍ଷଣ କେନ୍ଦ୍ରବିନ୍ଦୁ ସାଜିଛି ଏକ ନିଆରା ଦୃଶ୍ୟ । ପଦ୍ମପୁରର ବ୍ୟବସାୟୀ ମହମ୍ମଦ ସାଜିଦଙ୍କ ଘରେ ସକାଳ ୭ଟାରୁ ଚାଲିଛି ଆଇଟି ରେଡ । ୧୦ ଘଣ୍ଟା ହେଲା ବ୍ୟବସାୟୀ ତଥା ବିଜେଡିର ପ୍ରାଥମିକ ସଦସ୍ୟ ଥିବା ମହମ୍ମଦ ସାଜିଦଙ୍କ ଘରେ ଛାନଭିନ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଏହାରି ଭିତରେ ସାମ୍ନାକୁ ଆସିଛି ଆଇଟି ଅଫିସର ବସି ଦୋଳି ଖେଳୁଥିବାର ଦୃଶ୍ୟ । କେବଳ ଆଇଟି ଅଫିସର ନୁହେଁ ଜଣେ ସୁରକ୍ଷା ଅଧିକାରୀ ମଧ୍ୟ ସାଜିଦଙ୍କ ଘରେ ଥିବା ଦୋଳିରେ ବସି ଝୁଲୁଛନ୍ତି । ପଦ୍ମପୁରରେ ବେଶ ବିଳାସମୟ କୋଠା ତିଆରି କରିଛନ୍ତି ବ୍ୟବସାୟୀ ଜଣଙ୍କ । ତିନି ମହଲାର ଏହି କୋଠାରେ ମୁତୟନ ହୋଇଛନ୍ତି ଶତାଧିକ ସିଆରପିଏଫ ଯବାନ । ଆଇଟି ଅଧିକାରୀମାନେ ଘର ସାରା ଛାନବିନ୍ କରୁଥିବାବେଳେ ଅଫିସର ଦୋଳିରେ ବସି ଝୁଲିବାର ଏଭଳି ଦୃଶ୍ୟ ବେଶ ରୋଚକ ହେଇଛି । ସେପଟେ ଆଇଟି ଅଧିକାରୀଙ୍କ ପାଇଁ ଆସିଛି ବିରିୟାନି ।

ସୂଚନାଯୋଗ୍ୟ ଯେ, ପଦ୍ମପୁରରେ କେନ୍ଦ୍ରୀୟ ଟିମର ରେଡ୍ ହୋଇଛି । ଏକକାଳୀନ ୩ ବ୍ୟବସାୟଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରାଯାଇଥିବା ବେଳେ ରେଡର କାରଣ ଅସ୍ପଷ୍ଟ ରହିଛି । ପଦ୍ମପୁର ହନୁମାନପଡ଼ାରେ ଥିବା ମହମ୍ମଦ ସାଜିଦଙ୍କ ଘରେ ଚଢ଼ାଉ କରାଯାଇଛି । ସେହିଭଳି ସାହୁପଡ଼ାରେ ମାନଭଞ୍ଜନ ସାହୁ ଓ ଶାସ୍ତ୍ରୀଛକରେ ଥିବା ଗଜୁ ଅଗ୍ରୱାଲଙ୍କ ଘରେ ଘରେ ଆୟକର ବିଭାଗ ରେଡ କରିଛି । ଆଇଟି ରେଡ ଚାଲିଥିବା ବେଳେ ପ୍ରତିକ୍ରିୟା ରଖିଛି ବିଜେପି । କଳାବଜାରୀ କରିଥିବା ଲୋକଙ୍କ ଘରେ ରେଡ ହେଉଛି । ରେଡ କଣ ପାଇଁ ହୋଇଛି ଆଇଟି ବିଭାଗ କହିପାରିବ ବୋଲି କହିଛନ୍ତି ବିଜେପି ନେତା ଠାକୁର ରଞ୍ଜିତ ଦାସ । ସେପଟେ ଭୟଭୀତ କରିବାକୁ ରେଡ କରାଯାଉଛି । ଆଇଟି ରେଡ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ସୁଶାନ୍ତ ସିଂ । ଉପ ନିର୍ବାଚନ ସମୟରେ ଜାଣିଶୁଣି ରେଡ କରାଯାଉଥିବା ସେ କହିଛନ୍ତି ।