ଲୋୟର ପିଏମଜିରେ ଘଣ୍ଟ ବାଡେଇ, ଶଙ୍ଖ ଫୁଙ୍କି ପ୍ରତିବାଦ। ଦ୍ୱିତୀୟ ଦିନରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା।

187

କନକ ବ୍ୟୁରୋ: କାନ ଧରି ଆଣ୍ଠେଇ ପ୍ରତିବାଦ ପରେ ଏବେ ଘଂଟ ବାଡେଇ, ଶଙ୍ଖ ଫୁଙ୍କି ପ୍ରତିବାଦ । ଲୋୟର ପିଏମଜିରେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ ଏହି ପ୍ରତିବାଦ କରିଛି । ଘଂଟ ବାଡେଇ ୩ଦଫା ଦାବି ପୂରଣ ପାଇଁ ଧାରଣା ଦେଇଛନ୍ତି । ମୃତ କର୍ମଚାରୀ ପରିବାର ଥଇଥାନ ଯୋଜନା ୧୯୯୦ ବିଜ୍ଞପ୍ତି ଅନୁସାରେ ନିଯୁକ୍ତି କରାଯାଉ । ସେହିଭଳି ୨୦୨୦ ବିଜ୍ଞପ୍ତିକୁ ତୁରନ୍ତ ବାତିଲ ଦାବି କରିଛି ସଂଘ । ଏହି ସମସ୍ତ ଦାବି ଯେ ପର୍ଯ୍ୟନ୍ତ ପୂରଣ ନହୋଇଛି ସେଯାଏ ଧାରଣାରେ ବସି ରହିବାର ଚେତାବନୀ ଦିଆଯାଇଛି ।

ସେପଟେ ଦ୍ୱିତୀୟ ଦିନରେ ଜାରିରହିଛି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା । ଦ୍ୱିତୀୟ ଦିନରେ ଏକାଠି ହୋଇଛନ୍ତି ହଜାର ହଜାର ଶିକ୍ଷକ । ଗତକାଲି ନିଜର ୩ ଦଫା ଦାବି ନେଇ ଶିକ୍ଷକ ସଂଘ ରଣହୁଙ୍କାର ଦେଇଥିଲେ । ପାଖାପାଖି ୧ ଲକ୍ଷରୁ ଅଧିକ ଶିକ୍ଷକ ଏକାଠି ହୋଇ ନିଜର ଦାବି ଉପସ୍ଥାପନା କରିଥିଲେ । ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତିକ ନିଯୁକ୍ତି ପ୍ରଥା ଉଚ୍ଛେଦ , ଗ୍ରେଡ ପେ ବୃଦ୍ଧି, ପୁୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ମୁଖ୍ୟ ଦାବି ନେଇ ଆଜି ବି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି ।

ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ । କ୍ୟାଡର ପୁନର୍ଗଠନ ପ୍ରକ୍ରିୟାରେ ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗ କରିଛି ମହାସଂଘ । ତେବେ ଅନ୍ୟ ବିଭାଗରେ ୪ରୁ ୮ଟି ପଦୋନ୍ନତି ପାଇଥିବାବେଳେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ପଦୋନ୍ନତି ପାଇନଥିବା ମହାସଂଘ ଅଭିଯୋଗ କରିଛି । ଜନ୍ମ ପୂର୍ବରୁ ମୃତ୍ୟୁ ଯାଏ ସରକାର ଯୋଗାଉଥିବା ସମସ୍ତ ଯୋଜନାକୁ ସ୍ୱାସ୍ଥ୍ୟକର୍ମୀ ସଫଳ କରୁଥିଲାବେଲେ ସେମାନେ ଅବହେଳାର ଶିକାର ହେଉଥିବା କହିଛନ୍ତି । ସରକାର ସମସ୍ୟାର ସମାଧାନ ନକଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ କହିଛି । ଡିସେମ୍ବର ୧୪ରୁ ଅସହଯୋଗ ଆନ୍ଦୋଳନ କରିବା ସହ ୨୧ ଡିସେମ୍ବରରୁ ଅନିର୍ଧିଷ୍ଟ କାଳ ପର୍ୟନ୍ତ କାରୟବନ୍ଦ କରିବାକୁ ସଂଘ ଚେତାଇ ଦେଇଛି ।