ବିନା ଅସ୍ତ୍ରଶସ୍ତ୍ରରେ ହୀରାକୁଦ ସୁରକ୍ଷା : ଦୀର୍ଘତମ ନଦୀ ବନ୍ଧରେ ଖାଲି ହାତରେ ସୁରକ୍ଷା ଦେଉଛନ୍ତି ଓଡିଶା ଶିଳ୍ପ ନିରାପତ୍ତା ବାହିନୀ

866

କନକ ବ୍ୟୁରୋ : ସବୁଠାରୁ ବଡ ନଦୀବନ୍ଧ ହୀରାକୁଦ । ପୃଥିବୀ ବିଖ୍ୟାତ ହୀରାକୁଦ ନଦୀ ବନ୍ଧର ସୁରକ୍ଷାକୁ ନେଇ ସବୁ ବେଳେ ପ୍ରଶ୍ନ ଉଠିଛି । ହୀରାକୁଦ ନଦୀବନ୍ଧକୁ ଶିଳ୍ପ ନିରାପତ୍ତା ବାହିନୀର ଯବାନମାନେ ସୁରକ୍ଷା ଦେଉଛନ୍ତି । କିନ୍ତୁ ବନ୍ଧ ଜଗୁଥିବା ଯବାନଙ୍କ ପାଖରେ ନା ଅଛି ଲାଠି ନାହିଁ ଅନ୍ୟ କୌଣସି ଅସ୍ତ୍ରଶସ୍ତ୍ର ।

ତିନି ବର୍ଷ ତଳେ ହୀରାକୁଦ ନଦୀବନ୍ଧକୁ ଓଡିଶା ପୋଲିସ ସୁରକ୍ଷା ଦେଉଥିଲା । ହେଲେ ବାରମ୍ବାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବାରୁ ରାଜ୍ୟ ସରକାର ବନ୍ଧର ସୁରକ୍ଷା ଦାୟିତ୍ୱ ଓଡିଶା ଶିଳ୍ପ ନିରାପତା ବାହିନୀକୁ ଦେଇଛନ୍ତି । ଓଆଇଏସଏଫର ଯବାନମାନେ ଦୂରବୀକ୍ଷଣ ଯନ୍ତ୍ର, ବଡି କ୍ୟାମେରା, ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ସୁରକ୍ଷା ଦେଇ ଆସୁଛନ୍ତି । କିନ୍ତୁ କୌଣିସ ଆକ୍ରମଣକୁ ରୋକିବା ପାଇଁ ସେମାନଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନାହିଁ । ଯାହା ସୁରକ୍ଷାକୁ ନେଇ ଉଠାଇଛି ପ୍ରଶ୍ନ ।

ହୀରାକୁଦ ନଦୀବନ୍ଧର ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ନଦୀବନ୍ଧର ଉଭୟ ପଟରେ ରହିଛି ଘଂଚ ଜଙ୍ଗଲ । କିଛି ବର୍ଷ ତଳେ ଡେବ୍ରିଗଡ ଅଭୟାରଣ୍ୟରେ ମାଓ ଗତିବିଧି ଦେଖାଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ଯବାନମାନେ ଦିନରାତି ହୀରାକୁଦରେ ଜାଗ୍ରତ ପ୍ରହରି ସାଜିଛନ୍ତି । କିନ୍ତୁ ମାଓ ମୁକାବିଲା ପାଇଁ ସେମାନଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନାହିଁ । ଯବାନଙ୍କ ରହିବା ଓ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ହୀରାକୁଦ ଡ୍ୟାମ କର୍ତୃପକ୍ଷ ସ୍ଥାନ ଯୋଗାଇ ପାରିନଥିବାରୁ ଖୋଲା ହାତରେ ସୁରକ୍ଷା ଦେଉଛନ୍ତି ଯବାନ ।