ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ପୂର୍ବରୁ କାର୍ଯ୍ୟାଳୟକୁ ଫେରିଲେ ମନ୍ତ୍ରୀ, ଅଫିସର । କମ କର୍ମଚାରୀରେ ଚାଲିଲା କାମ, ସାମାଜିକ ଦୂରତା ଉପରେ ଗୁରୁତ୍ୱ ।

315

କନକ ବ୍ୟୁରୋ : ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ହେବା ନେଇ ଚର୍ଚ୍ଚା ଭିତରେ କାର୍ଯ୍ୟାଳୟକୁ ଫେରିଛନ୍ତି ମନ୍ତ୍ରୀ, ଅଫିସର । ପ୍ରଥମ ପର୍ଯ୍ୟାୟ ଲକଡାଉନ ଅବଧି ମଙ୍ଗଳବାର ମଧ୍ୟରାତ୍ରରେ ଶେଷ ହେଉଛି । ଏହାର ଦିନକ ଆଗରୁ ଅଫିସରେ ପହଁଚି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଅଳ୍ପ କର୍ମଚାରୀରେ ଓ ସାମାଜିକ ଦୂରତା ରଖି କାମ କରିବାକୁ ସରକାରଙ୍କ ନିର୍ଦ୍ଦେଶ ବି ରହିଛି ।

ଦେଶବ୍ୟାପୀ ୨୧ ଦିନିଆ ତାଲାବନ୍ଦ ଶେଷ ହେବାର ଦିନକ ପୂର୍ବରୁ ନିଜ ନିଜ କାର୍ଯ୍ୟାଳୟକୁ ଫେରିଛନ୍ତି କେନ୍ଦ୍ର ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସୋମବାର କାର୍ଯ୍ୟାଳୟରେ ପହଂଚିଛନ୍ତି । ଏହି ଅବସରରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରନ ରିଜିଜୁ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ କାର୍ଯ୍ୟାଳୟରେ ପହଂଚି ଅଧିକାରୀମାନଙ୍କୁ ଭେଟିଛନ୍ତି । ରିଜିଜୁ ମାସ୍କ ପିନ୍ଧି ପହଂଚିବା ପରେ ସାନିଟାଇଜରରେ ହାତ ସଫା କରି କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ । ତେବେ ସତର୍କତା ଅବଲମ୍ବନ କରି ଖୁବ୍ କମ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ କାମ ଜାରି ରହିବ ବୋଲି କିରନ ରିଜିଜୁ କହିଛନ୍ତି ।

କିରନ ରିଜିଜୁଙ୍କ ପରି କେନ୍ଦ୍ର ମନ୍ତ୍ରୀ ମୁଖତାର ଅବାସ ନକଭି, ଜିତେନ୍ଦ୍ର ସିଂ ଓ ପ୍ରକାଶ ଜାଭଡେକର ମଧ୍ୟ ନିଜ ନିଜ କାର୍ଯ୍ୟାଳୟରେ ପହଂଚି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନ ମୁଣ୍ଡା ମଧ୍ୟ ନିଜ କାର୍ଯ୍ୟାଳୟକୁ ଯାଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ବୈଠକରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ସହ ମନ୍ତ୍ରୀମାନେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।

ଶନିବାର ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ମାନେ ନିଜ ନିଜ ବିଭାଗର ସଚିବ ଓ ସର୍ବନିମ୍ନ କର୍ମଚାରୀରେ କାମ କରିବାକୁ କୁହାଯାଇଥିଲା ଏପରିକି ଏକ ତୃତୀୟାଂଶ କର୍ମଚାରୀରେ କାମ ତୁଲାଇବାକୁ କହିଥିଲେ କେନ୍ଦ୍ର ସରକାର ।