ଲକଡାଉନ : ପାସ୍ ମାଗିବାରୁ ପୋଲିସ ଏଏସଆଇଙ୍କ ହାତ ହାଣିଦେଇଥିଲେ, ସାଢେ ସାତ ଘଣ୍ଟାର ଅପରେସନ ପରେ କଟା ହାତକୁ ଯୋଡିଲେ ଡାକ୍ତର ।

6,025

କନକ ବ୍ୟୁରୋ : ସାଢେ ସାତ ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ଯୋଡା ହେଲା ଏଏସଆଇଙ୍କ କଟାହାତ । ପଂଜାବ ପଟିଆଲାରେ ରବିବାର ସକାଳୁ କର୍ଫ୍ୟୁ ସମୟରେ ଡ୍ୟୁଟିରେ ଥିବା ଏଏସଆଇ ହରଜୀତ ସିଂହଙ୍କୁ ନିହଙ୍ଗ ଶିଖ ଗୋଷ୍ଠୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କର୍ଫ୍ୟୁ ସମୟରେ ପାସ୍ ମାଗିବାରୁ ତାଙ୍କ ଉପରକୁ ଏହି ଗୋଷ୍ଠୀର ଜଣେ ଯୁବକ ଆକ୍ରମଣ କରି ଖଣ୍ଡାରେ ତାଙ୍କ ହାତକୁ ହାଣି ଦେଇଥିଲେ ।

ପଞ୍ଜାବ ପଟିଆଲାର ଏଏସଆଇଙ୍କ କଟା ହାତକୁ ସଫଳତାର ସହ ଯୋଡାଯାଇଛି । ଚଣ୍ଡିଗଡ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚର ଡାକ୍ତରମାନେ ଏହି ଅସ୍ତ୍ରୋପଚାର କରିଛନ୍ତି । ସାଢେ ୭ଘଣ୍ଟା ଧରି ଅପରେସନ କରିବା ପରେ ସଫଳତାର ସହ ଏଏସଆଇ ହରଜୀତ ସିଂହଙ୍କ ହାତକୁ ଯୋଡି ଦେଇଛନ୍ତି ଡାକ୍ତର । ଏବେ ୫ଦିନ ତାଙ୍କୁ ନିରୀକ୍ଷଣରେ ରଖାଯିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ରବିବାର ଦିନ ତାଲା ବନ୍ଦ ସମୟରେ ଡ୍ୟୁଟିରେ ଥିବା ପୋଲିସ ଅଧିକାରୀ ଜଣଙ୍କୁ ନିହଙ୍ଗ ଶିଖ ସମ୍ପ୍ରଦାୟର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ନିହଙ୍ଗ ଶିଖ ପକ୍ଷରୁ ଏପରି ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ପଟିଆଲା ସହରରେ କର୍ଫ୍ୟୁ ବେଳେ ପାସ୍ ଦେଖାଇବାକୁ କହିଥିଲେ ଏଏସଆଇ ହରଜୀତ ସିଂହ । ଯେଉଁଥିରେ ଉତକ୍ଷିପ୍ତ ହୋଇ ବ୍ୟାରିକେଡ ଉପରେ ଗାଡି ଚଢାଇ ଦେବା ପରେ ପୋଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ ନିହଙ୍ଗ ଗୋଷ୍ଠୀ । ସମ୍ପୃକ୍ତ ଗୋଷ୍ଠୀର ଜଣେ ଯୁବକ ଏଏସଆଇଙ୍କ ହାତକୁ ଖଣ୍ଡାରେ ହାଣି ଦେଇଥିଲେ ।

ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ସମ୍ପୃକ୍ତ ଗୋଷ୍ଠୀ ଠାରୁ ପୋଲିସ ନଗଦ ୩୯ ଲକ୍ଷ ଟଙ୍କା, ବିଭିନ୍ନ ମାରାଣାସ୍ତ୍ର ସହ ଅସ୍ତ୍ରଶସ୍ତ୍ର ଓ ପେଟ୍ରୋଲ ବୋମା ମଧ୍ୟ ଜବତ କରିଛି । ଦେଶରେ କରୋନା ପରିସ୍ଥିତି ଯୋଗୁଁ ତାଲାବନ୍ଦ ହୋଇଥିବା ବେଳେ ଏହି ସମୟରେ ନିଜ ଘରୁ ବାହାରି ଅନ୍ୟମାନଙ୍କୁ ସୁରକ୍ଷା ଯୋଗାଉଥିବା ପୋଲିସ କର୍ମଚାରୀଙ୍କ ଉପରେ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ।

ରବିବାର ସକାଳ ୬ଟା ବେଳେ ଘଟିଥିବା ଏହି ଜଘନ୍ୟ ଘଟଣାକୁ ଚାରିଆଡୁ ନିନ୍ଦା କରାଯାଉଛି । ତେବେ ଘଟଣା ବେଳେ ନିକଟରେ ଥିବା ଜଣେ ଯୁବକ ତାଙ୍କ କ୍ୟାମେରାରେ ସମ୍ପୂର୍ଣ୍ଣ ଘଟଣାକୁ କଏଦ କରିଥିଲେ ।