କରୋନା ଯୁଦ୍ଧରେ ପରଦା ପଛର ଯୋଦ୍ଧା । ଟ୍ୱିଟରରେ ସାହାଯ୍ୟ ମାଗିଲେ ଜଣେ ମା’, ସହାୟତାର ହାତ ବଢାଇଲେ ଆଇପିଏସ ଅରୁଣ ବୋଥ୍ରା । ବଞ୍ଚିଗଲା କୁନି ଶିଶୁର ଜୀବନ । ଲକଡାଉନ ବେଳେ କୁନି ଶିଶୁ ପାଇଁ ରାଜସ୍ଥାନରୁ ମୁମ୍ବାଇରେ ପହଞ୍ଚିଲା ୨୦ ଲିଟର ଓଟ କ୍ଷୀର ।

831

କନକ ବ୍ୟୁରୋ : ଅରୁଣ ବୋଥ୍ରା । ଓଡି଼ଶା ରାଜ୍ୟ ସଡ଼କ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ । ସେସୁର ମୁଖ୍ୟ ପରିଚାଳନା ଅଧିକାରୀ । ସିଆରୟୁଟିର ପରିଚାଳନା ନିର୍ଦ୍ଦେଶକ । ଓଡିଶାରେ କାର୍ଯ୍ୟରତ ରାଜସ୍ଥାନ ଜୟପୁର କ୍ୟାଡରର ଏହି ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । କାରଣ କରୋନା ଯୁଦ୍ଧର ସେ ଏକ ପ୍ରମୁଖ ଯୋଦ୍ଧା ଭାବରେ ସାମ୍ନାକୁ ଆସିଛନ୍ତି । କେମିତି? ଜାଣିବା ପାଇଁ ପୁରା କାହାଣୀ ଉପରେ ନଜର ପକାନ୍ତୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ କରି ମୁମ୍ବାଇ ଚେମ୍ବୁରେ ରହୁଥିବା ଜଣେ ମହିଳା ନେହା କୁମାରୀ, ଲେଖିଲେ – ତାଙ୍କ ସାଢେ ୩ ବର୍ଷର ଶିଶୁ ଅଟିଜିମ୍ ଏବଂ ଫୁଡ ଆଲର୍ଜି ରୋଗରେ ଆକ୍ରାନ୍ତ । ତେଣୁ ତାଙ୍କୁ କେବଳ ଡାଲି ଜାତୀୟ ଶସ୍ୟ ଏବଂ ଓଟ ଖୀର ହିଁ ଖାଦ୍ୟ ଭାବେ ଦିଆଯାଉଛି । ସାରା ଦେଶରେ ଲକଡାଉନ ଘୋଷଣା ହେଲାବେଳକୁ ତାଙ୍କ ପାଖରେ ଶିଶୁଟିକୁ ଦେବା ପାଇଁ ପର୍ଯ୍ୟାପ୍ତ ଓଟ ଖୀର ନଥିଲା । ତେଣୁ ରାଜସ୍ଥାନ ସଦ୍ରିରେ ଉପଲବ୍ଧ ହେଉଥିବା ଓଟ ଖୀର କିମ୍ବା ଏହାର ପାଉଡର ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ମହିଳା ।

ତାଲାବନ୍ଦର କଷ୍ଟକର ସମୟରେ ଜଣେ ମା’ର ଏହି ଆକୁଳ ନିବେଦନ ଟ୍ୱିଟରରେ ଦେଖିବା ପରେ ତତ୍ପରତା ପ୍ରକାଶ କରିଥିଲେ ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରା । ବୋଥ୍ରା ଟ୍ୱିଟ କରି ଲେଖିଲେ- ଆପଣଙ୍କ ଯୋଗାଯୋଗର ସଂପୂର୍ଣ୍ଣ ଠିକଣା ଦିଅନ୍ତୁ । ଆପଣଙ୍କ ଶିଶୁ ପାଇଁ ଯାହା କିଛି ସମ୍ଭବ ହେବ ସେ କରିବେ ।

ଓଡିଶାରେ କାର୍ଯ୍ୟରତ ଜୟପୁର କ୍ୟାଡରର ଏହି ବରିଷ୍ଠ ଆଇପିଏସ ଅରୁଣ ବୋଥ୍ରାଙ୍କ ଟ୍ୱିଟ ଉପରେ ନଜର ପଡିବା ପରେ, ଅସୁବିଧାରେ ପଡିଥିବା ସେହି ମା’ର ସହାୟତା ପାଇଁ ପ୍ରକ୍ରିୟା ଆରମ୍ଭ କଲେ ଉତର-ପଶ୍ଚିମାଂଚଳ ରେଳବାଇରେ କାର୍ଯ୍ୟରତ ଚିଫ ପାସେଂଜର ଟ୍ରାଫିକ ମ୍ୟାନେଜର ତରୁଣ ଜୈନ । ରାଜସ୍ଥାନ ଆଜମେରରେ ଥିବା ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ହେଲା । ଆଉ ନିଷ୍ପତି ହେଲା- ଲୁଧିଆନାରୁ ବାନ୍ଦ୍ରା ମଧ୍ୟରେ ଚଳାଚଳ କରୁଥିବା ମାଲବାହୀ ଟ୍ରେନକୁ ରାଜସ୍ଥାନ ଫାଲନା ଷ୍ଟେସନରେ ଅଟକାଇ ଓଟ ଖୀର ପରିବହନ କରାଯିବ । ଉଚ୍ଚ କର୍ତୃପକ୍ଷଙ୍କ ଅନୁମତି ନେଇ ଟ୍ରେନରେ ଓଟ ଖୀର ଆଣି ବାନ୍ଦ୍ରାରେ ପହଂଚାଇବାରେ ପ୍ରମୁଖ ଭୂମିକା ନିଭାଇଥିଲା ଭାରତୀୟ ରେଳବାଇ ।

ମୁମ୍ବାଇରେ ରହୁଥିବା ନେହା କୁମାରୀଙ୍କ ପାଖରେ ୧୦ ତାରିଖ ରାତିରେ ରାଜସ୍ଥାନରୁ ୨୦ ଲିଟର ଓଟ ଖୀର ପହଂଚି ପାରିଥିବା ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ଆଇପିଏସ ଅଫିସର ଅରୁଣ ବୋଥ୍ରା । ଏଥିପାଇଁ ସେ ରେଳବାଇ ଅଧିକାରୀ ତରୁଣ ଜୈନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । କରୋନା ବିରୋଧୀ ଲଢେଇରେ ତାଲାବନ୍ଦର କଷ୍ଟକର ସମୟରେ ଲୋକଙ୍କୁ ସହାୟତାର ହାତ ବଢାଇଥିବା ତରୁଣ ଜୈନଙ୍କ ପରି ଅରୁଣ ବୋଥ୍ରାଙ୍କ ଅବଦାନକୁ ମଧ୍ୟ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

Comments are closed.