ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ : ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡିଛି ଆସନ

126

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ବାଜିଲା ବିଗୁଲ । ନଭେମ୍ବର ୩ରେ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ । ଅକ୍ଟୋବର ୭ରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲର ଶେଷ ଦିନ । ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ ତାରିଖ ଘୋଷଣା ହୋଇଥିବା ବେଳେ ୧୭ରେ ନାମାଙ୍କନ ପ୍ରତ୍ୟାହାର ପାଇଁ ତାରଖ ନିର୍ଦ୍ଧାରିତ ହୋଇଛି । ନଭେମ୍ବର ୬ରେ ହେବ ଭୋଟ ଗଣତି ହେବ । ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ବିଜେପି ଦଳର ଟାଣୁଆ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଆସନ ଖାଲି ପଡିଛି ।

ବିଷ୍ଣୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିରୁ ଦଳୀୟ ପ୍ରାର୍ଥୀ ହୋଇ ଧାମନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ଭଦ୍ରକ ଜିଲ୍ଲାରେ ୫ଟି ବିଧାନସଭା କ୍ଷେତ୍ରରୁ ୪ଟି ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଥିବା ବେଳେ କେବଳ ଧାମନଗର ଆସନରୁ ବିଷ୍ଣୁ ବିଜୟୀ ହୋଇ ବିଜେପିର ସମ୍ମାନ ରକ୍ଷା କରିଥିଲେ । ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇ ବିଷ୍ଣୁ ୪୬୨୫ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ । ବିଷ୍ଣୁଙ୍କର ଏହି ବିଜୟ ପରେ ତାଙ୍କୁ ବିଧାନସଭାରେ ବିରୋଧୀ ଦଳର ଉପନେତା ପଦ ମିଳିଥିଲା । ସେବେଠାରୁ ରାଜ୍ୟ ରାଜନୀତି‌ରେ ବିଷ୍ଣୁଙ୍କର ଏକ ସ୍ବତନ୍ତ୍ର ପତିଆରା ସୃଷ୍ଟି ହୋଇଥିଲା । କେବଳ ସେତିକି ନୁହେଁ, ବିଷ୍ଣୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଗୁଡ୍‌ବୁକ୍‌ରେ ରହିଥିଲେ । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ବିଧାନସଭାରେ ସରକାରଙ୍କୁ ଘାଇଲା କରୁଥିଲେ ।

ଧାମନଗର ଆସନ ୨୦୦୯ ମସିହା ପୂର୍ବରୁ ସାଧାରଣବର୍ଗର ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଏଠାରୁ ୧୯୫୧ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ କଂଗ୍ରେସରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୫୭ ଓ ୧୯୬୧ରେ କଂଗ୍ରେସରୁ ମୁରଲୀଧର ଜେନା ଏଠାରୁ ଲଗାତର ଦୁଇଥର ବିଧାୟକ ନିର୍ବାଚିତ ହୋଇଥିଲେ । ୧୯୬୭ରେ ଶ୍ରୀମତୀ ଦେଇ ଜନକଂଗ୍ରେସରୁ ବିଧାୟକ ହୋଇଥିବା ବେଳେ ୧୯୭୧ରୁ ୧୯୭୪ ପର୍ଯ୍ୟନ୍ତ ହୃଦାନନ୍ଦ ମଲ୍ଲିକ ଲଗାତାର ଦୁଇଥର ଉତ୍କଳ କଂଗ୍ରେସ ଦଳରୁ ବିଧାୟକ ହୋଇଥିଲେ । ୧୯୭୭ରେ ପୁଣି ହୃଦାନନ୍ଦ ମଲ୍ଲିକ ଜନତା ପାର୍ଟିରୁ ବିଧାୟକ ହୋଇଥିଲେ । ପରେ ୧୯୮୦ ଓ ୧୯୮୫ରେ ଜଗନ୍ନାଥ ରାଉତ ଲଗାତର କଂଗ୍ରେସରୁ ଦୁଇଥର ବିଧାୟକ ହୋଇଥିଲେ । ୧୯୯୦ରେ ଜନତା ଦଳରୁ ହୃଦାନନ୍ଦ ମଲ୍ଲିକ ବିଧାୟକ ହୋଇଥିଲେ ।

ହୃଦାନନ୍ଦଙ୍କ ବିୟୋଗ ପରେ ୧୯୯୦ ଉପନିର୍ବାଚନରେ ତାଙ୍କ ପୁତ୍ର ମାନସ ମଲ୍ଲିକ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୫ରେ ଜଗନ୍ନାଥ ରାଉତ କଂଗ୍ରେସରୁ ବିଧାୟକ ହୋଇଥିଲେ। ୨୦୦୦ ନିର୍ବାଚନରେ ହୃଦାନନ୍ଦ ମଲ୍ଲିକଙ୍କ ପୁତ୍ର ମାନସ ମଲ୍ଲିକ ସ୍ବାଧୀନ ଭାବେ ବିଜୟୀ ହୋଇଥିଲେ। ୨୦୦୪ରେ ବିଜେଡି-ବିଜେପି ମେଣ୍ଟ ବେଳେ ବିଜେପି ନେତା ମନମୋହନ ସାମଲ ବିଧାୟକ ଭାବେ ବିଜୟୀ ହୋଇଥିଲେ। ୨୦୦୯ରେ ଅନୁସୂଚିତ ଜାତିବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବାରୁ ଏଠାରୁ ବିଜେଡିରୁ ରାଜେନ୍ଦ୍ର ଦାସ, ୨୦୧୪ରେ ମୁକ୍ତିକାନ୍ତ ମଣ୍ଡଳ ବିଧାୟକ ହୋଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୯ରେ ବିଷ୍ଣୁ ସେଠୀ ବିଜେପିରୁ ବିଧାୟକ ହୋଇଥିଲେ । ୧୯୯୫ ପରଠାରୁ ଏହି ଆସନରୁ କଂଗ୍ରେସ ଆଉ ବିଜୟୀ ହୋଇନଥିବା ବେଳେ ଏବେ କଂଗ୍ରେସ ଆଗାମୀ ଉପନିର୍ବାଚନ ପାଇଁ କାହାକୁ ଏଠାରୁ ପ୍ରାର୍ଥୀ କରିବ ତାକୁ ନେଇ ଦଳ ପକ୍ଷରୁ କସରତ ଆରମ୍ଭ ହୋଇଛି । ବିଜେଡି କିଭଳି ଏହି ଆସନଟିକୁ ନିଜ ଦଖଲକୁ ଆଣିବ ସେଥିପାଇଁ ଅଙ୍କକଷା ଆରମ୍ଭ କରିଛି ।