ଡିଜେଲ ଦର ଅନୁସାରେ ବଢ଼ିଲା ବସ୍ ଭଡା । ଜାଣନ୍ତୁ କେଉଁ ବସ ଭଡା କେତେ ବଢିଲା?

328

କନକ ବ୍ୟୁରୋ :  ଡିଜେଲ ଦର ଅନୁସାରେ ବଢ଼ିଲା ବସ୍ ଭଡ଼ା । ଅର୍ଡିନାରି ଓ ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ୪ ପଇସା ବଢ଼ିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୮ ପଇସା ବୃଦ୍ଧି ପାଇଛି । ସେହିପରି ସୁପର ପ୍ରିମିୟମ୍ ବସ ଭଡ଼ା ପ୍ରତି କିଲୋମିଟର ପିଛା ୧୨ ପଇସା ବଢ଼ିଛି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମା ତୁରନ୍ତ ଲାଗୁ କରାଯାଇଛି ।

ଗତ ୪ ମାସ ମଧ୍ୟରେ ଡିଜେଲ ଦର ୯ ଟଙ୍କା ପାଖପାଖି ବୃଦ୍ଧି ପାଇଥିବାରୁ ଏହି ଦରବୃଦ୍ଧି ହୋଇଛି । ଦରବୃଦ୍ଧି ପରେ ଅର୍ଡିନାରି ବସ ଭଡ଼ା କିଲୋମିଟର ପିଛା ୮୯ ପଇସା ଏବଂ ଏକ୍ସପ୍ରେସ ବସରେ ଗଲେ ପ୍ରତି କିଲୋମିଟରକୁ ଦେବାକୁ ପଡ଼ିବ ୯୩ ପଇସା । ଡିଲକ୍ସ ବସ ଭଡ଼ା କିଲୋମିଟରକୁ ୧ ଟଙ୍କା ୨୯ ପଇସା ହୋଇଥିବା ବେଳେ ଏସି ଡିଲକ୍ସ ବସ ଭଡ଼ା ୧ ଟଙ୍କା ୫୭ ପଇସା ହୋଇଛି । ଆଉ ସୁପର ପ୍ରିମିୟମ ବସ ଭଡ଼ା ପ୍ରତି କିଲୋମିଟରକୁ ୨ ଟଙ୍କା ୪୪ ପଇସା ହୋଇଛି ।

ରାଜ୍ୟର ୨୦ଟି ଜିଲ୍ଲାରେ କରୋନା କଟକଣା କୋହଳ କରାଯାଇଛି। ‌ଏହି ଜିଲ୍ଲାଗୁଡ଼ିକରେ ବସ୍‌ ଚଳାଚଳକୁ ଅନୁମତି ମିଳିଛି। କେବଳ ସିଟ୍‌ କ୍ଷମତା ଅନୁସାରେ ଯାତ୍ରୀଙ୍କୁ ନିଆଯିବ ବୋଲି ଗତକାଲି ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ଆଜି କାଁ ଭାଁ କିଛି ଜାଗାକୁ ଛାଡ଼ି ଦେଲେ କୌଣସି ଜିଲ୍ଲାରେ ବସ୍‌ ଚଳାଚଳ ସ୍ବାଭାବିକ ‌ହୋଇପାରି ନାହିଁ। ଏ ସମ୍ପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ କହିଛନ୍ତି ଯେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିବାରୁ ଖୁବ୍ ଶୀଘ୍ର ଏ ସମ୍ପର୍କରେ ଏକ ଗାଇଡଲାଇନ୍‌ ଜାରି କରାଯିବ। ଆରଟିଓ ଓ ବସ୍ ସଂଘ ଗୁଡ଼ିକୁ ଏହି ଗାଇଡଲାଇନ୍‌ ଦିଆଯିବ। କରୋନା କଟକଣାକୁ ମାନି ବସ୍‌ କିପରି ଚଳାଚଳ କରିବ, ତାହା ଏଥିରେ ସ୍ପଷ୍ଟ କରାଯିବ।