ନକଲି ଔଷଧ ମାମଲାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା । ଆବେଦନକାରୀଙ୍କ ନିବେଦନ, ସିବିଆଇ ଭଳି ଜାତୀୟସଂସ୍ଥା ଦ୍ୱାରା ତଦନ୍ତ କଲେ ପଦାକୁ ଆସିବ ସତ ।

58

କନକ ବ୍ୟୁରୋ : କଟକରୁ ନକଲି ଔଷଧ ମିଳିବା ମାମଲାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ । ଜନସ୍ୱାର୍ଥ ମାମଲା ଆବେଦନ କରିଛନ୍ତି ଆମ ଜନତା ଅଧିକାର ଟ୍ରଷ୍ଟର ସହ-ଆବାହକ ବାସୁଦେବ ଭଟ୍ଟ । ସେ ଆବେଦନରେ ଦର୍ଶାଇଛନ୍ତି, ମାମଲାର ତଦନ୍ତ କରୁଥିବା ଏସଟିଏଫ ତଦନ୍ତ ବିଶେଷ ଅଗ୍ରଗତି କରୁନାହିଁ । କାରଣ ଏସଟିଏଫ କାର୍ଯ୍ୟ କରିବାର ନିର୍ଦ୍ଧିଷ୍ଟ ସୀମା ରହିଛି । ତେଣୁ ସିବିଆଇ ଭଳି ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହାର ତଦନ୍ତ କରାଗଲେ ସତ ପଦାକୁ ଆସିବ । ଏସବୁ ଦୃଷ୍ଟିରୁ ନକଲି ଔଷଧ ପ୍ରସଙ୍ଗର ତଦନ୍ତ ପାଇଁ କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି ।

ଗତ ମାସରେ କଟକ କନିକା ଛକର ମେଡଲଏଡ ଫାର୍ମାସିଉଟିକାଲ ଗୋଦାମରୁ ବିପୁଳ ପରିମାଣର ନକଲି ଔଷଧ ମିଳିଥିଲା । ଏହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଫାଭି-ଫିରାଭିର ଛଡା ଭିଟାମିନ-ସି ଓ ଆଜିଥ୍ରୋମାଇସିନ ଭଳି ୯ ପ୍ରକାରର ଔଷଧ ଜବତ ହୋଇଥିଲା । ଏହା ସାମନାକୁ ଆସିବା ପରେ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଟିମ୍ କରି ତଦନ୍ତ ଜାରି ରଖିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ଗୋଦାମର ମାଲିକ ଶିବଶଙ୍କର ଜେନା, ତାଙ୍କ ପତ୍ନୀ ଓ ୨ କର୍ମଚାରୀଙ୍କୁ ଗିରଫ କରାଯାଇଛି ।