ଟିକା ନେବାକୁ ମନା କଲେ ବ୍ରାଜିଲ ରାଷ୍ଟ୍ରପତି । କହିଲେ, ତାଙ୍କ ପାଖରେ ରହିଛି ଅଧିକ ରୋଗ ପ୍ରତିରୋଧକ ଶକ୍ତି ।

141

କନକ ବ୍ୟୁରୋ : କୋଭିଡ୍ ଟିକା ନେବାକୁ ମନା କଲେ ବ୍ରାଜିଲ୍ ରାଷ୍ଟ୍ରପତି ଜାୟାର ବୋଲସୋନାରୋ । ସେ ଟିକା ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ବ୍ରାଜିଲ ରାଷ୍ଟ୍ରପତି କହିଛନ୍ତି, ଟିକା ନେବାର କୌଣସି ଆବଶ୍ୟକତା ନାହିଁ । ତାଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି । ଟିକା କାହିଁକି ନେବେ ବୋଲି ପ୍ରଶ୍ନ କରିଛନ୍ତି । ବ୍ରାଜିଲ୍ର ଶେଷ ନାଗରିକ ଭାବେ କରୋନା ଟିକା ନେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ ବ୍ରାଜିଲ୍ ରାଷ୍ଟ୍ରପତି ଜାୟାର ବୋଲସୋନାରୋ । ଏବେ ଟିକା ନେବେ ନାହିଁ ବୋଲି ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ।

କରୋନାରୁ ଲଢିବା ପାଇଁ ତାଙ୍କ ଶରୀରରେ ଅଧିକ ଆଂଟିବଡି ରହିଛି ବୋଲି ବାରମ୍ବାର ଦାବି କରିଛନ୍ତି ବ୍ରାଜିଲ୍ ରାଷ୍ଟ୍ରପତି । ସେ କହିଛନ୍ତି ଟିକା ନେବାର ଅର୍ଥ କିଛି ପାଇବା ପାଇଁ ଲଟେରୀରେ ଟଙ୍କା ଖର୍ଚ୍ଚ କରିବା । ୨୧ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ବ୍ରାଜିଲରେ ବର୍ତମାନ ସୁଦ୍ଧା ପାଖାପାଖି ୧୦ କୋଟି ଲୋକ କରୋନା ଟିକା ନେଇ ସାରିଲେଣି । ପାଖାପାଖି ୫ କୋଟି ଲୋକ କୋଭିଡ୍ ଟିକାର ଗୋଟିଏ ଡୋଜ୍ ନେଇଛନ୍ତି । ଦେଶରେ କୋଭିଡ୍ ଯୋଗୁ ୬ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆମେରିକା ପରେ ଦ୍ୱିତୀୟ ଦେଶ ଭାବେ ବ୍ରାଜିଲରେ କରୋନାରେ ଅଧିକ ଲୋକଙ୍କ ଜୀବନ ଯାଇଛି ।