ଚାରି ଶହ ବର୍ଷର ମୂର୍ତ୍ତି ଚୋରୀ କରିନେଲେ ଦୁର୍ବୃତ୍ତ : ବ୍ରହ୍ମଗିରି ନୃସିଂହନାଥ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରୀ

44

କନକ ବ୍ୟୁରୋ :  ଶହ ଶହ ବର୍ଷର ପୁରୁଣା ମୂର୍ତ୍ତି ଉପରେ ପଡିଛି ଲୁଟେରାଙ୍କ ନଜର । ବ୍ରହ୍ମଗିରିର ପ୍ରସିଦ୍ଧ ନୃସିଂହନାଥ ପୀଠରୁ ଅଷ୍ଟଧାତୁରେ ନିର୍ମିତ ଲକ୍ଷ୍ମୀ-ନୃସିଂହ, ରାଧାକୃଷ୍ଣଙ୍କ ମୂର୍ତି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ଏକା ଷ୍ଟାଇଲରେ ନୀଳଗିରିରେ ଏପରି ଚୋରି ହୋଇଥିଲା । ମା’ ମାରିଚି ମନ୍ଦିରରୁ ଷୋଡଶ ଶତାବ୍ଦିର ମୂର୍ତ୍ତିକୁ ଚୋରି କରି ନେଇଥିଲେ ଦୁର୍ବୃତ୍ତ । ଅନ୍ତର୍ଜାତୀୟ ବଜାରରେ ଏହିସବୁ ମୂର୍ତ୍ତିର ମୂଲ୍ୟ କୋଟି କୋଟି ଟଙ୍କା ହୋଇଥିବାରୁ ଏ ନେଇ ଏକ ରାକେଟ୍ ଚାଲିଥିବା ସଂଦେହ କରାଯାଉଛି ।

ଶହ ଶହ ବର୍ଷର ପୁରୁଣା ମୂର୍ତ୍ତି ଉପରେ ପଡିଛି ଲୁଟେରାଙ୍କ ନଜର । ଚୋରି ହୋଇଛି ବ୍ରହ୍ମଗିରି ରେଣ୍ଢାର ପ୍ରସିଦ୍ଧ ନୃସିଂହନାଥ ପୀଠରୁ ଲକ୍ଷ୍ମୀ-ନୃସିଂହ, ରାଧାକୃଷ୍ଣ, ଜଗନ୍ନାଥଙ୍କ କିରଟି ଓ ଆସ୍ଥାନ । ପ୍ରାୟ ୪୦୦ ବର୍ଷ ତଳର ଅଷ୍ଟ ଧାତୁ ଓ କାରୁକାର୍ଯ୍ୟରେ ନିର୍ମିତ ମୂର୍ତ୍ତି ନେଇଯାଇଛନ୍ତି ଦୁର୍ବୃତ୍ତ । ଏହା ସହ ୧୦କେଜିର ରୂପା ଓ ୧୦ଭରିରୁ ଅଧିକ ସୁନା ଅଳଙ୍କାର ନେଇଯାଇ କଳା କନା ବୁଲାଇଛନ୍ତି ଲୁଟେରା । ଚୋରି ହୋଇଥିବା ମୂର୍ତ୍ତିର ମୂଲ୍ୟ ୫କୋଟିରୁ ଅଧିକ ବୋଲି ଅନୁମାନ କରାଯାଉଛି । ଗତକାଲି ରାତିରେ ମନ୍ଦିର କବାଟ ବନ୍ଦ କରି ପୂଜକ ଯାଇଥିଲେ । ସକାଳ ନୀତି ପାଇଁ ଆସି ଦେଖିଲେ ମନ୍ଦିରରୁ ମୂର୍ତ୍ତି ଗାଏବ ।

ଗତ ଡିସେମ୍ବର ଶେଷ ସପ୍ତାହରେ ମଧ୍ୟ ନିଳଗିରିରେ ଏପରି ଚୋରି ହୋଇଥିଲା । ମା’ ମାରିଚି ମନ୍ଦିରରୁ ଷୋଡଶ ଶତାବ୍ଦିର ମୂର୍ତ୍ତି କୁ ଚୋରି କରି ନେଇଥିଲେ ଦୁର୍ବୃତ୍ତ । ଚୋରିର ଷ୍ଟାଇଲ ମଧ୍ୟ ଏକା ପ୍ରକାର । ଚୋରି ହୋଇଥିବା ମୂର୍ତ୍ତିର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ବୋଲି ଅନୁମାନ କରାଯାଉଛି । ଏବେ ପ୍ରଶ୍ନ ଉଠୁଛି, ଠାକୁରଙ୍କୁ ଚୋରି କରୁଛି କିଏ? ଚାଲିଛି କି ପୁରାତନ ମୂର୍ତ୍ତିର ରାକେଟ୍? କାରଣ ଅନ୍ତର୍ଜାତୀୟ ବଜାରରେ ଏହିସବୁ ମୂର୍ତ୍ତି ର ମୂଲ୍ୟ କୋଟି କୋଟି ଟଙ୍କା ।