ଘାସରୁ ପ୍ରସ୍ତୁତ ହେଉଛି ତେଲ । ବିରଳ ପାମାରୋସା ଓ ଲେମନଗ୍ରାସ ଚାଷ କରି ଚର୍ଚ୍ଚାରେ ବୌଦ୍ଧର ଚାଷୀ । ୩ବର୍ଷ ହେବ ଚାଷ କରି ହେଉଛନ୍ତି ଲାଭବାନ୍  ।

184

କନକ ବ୍ୟୁରୋ: ଘାସରୁ ପ୍ରସ୍ତୁତ ହେଉଛି ତେଲ । ଶୁଣିଲେ ଟିକେ ଅଡ଼ୁଆ ଲାଗି ପାରେ କିନ୍ତୁ ଏହା କଥା ସତ । ଦୁଇ ପ୍ରକାରର ଘାସ ଯାହାକି ପାମାରୋସା ଏବଂ ଲେମନଗ୍ରାସ୍, ଏହାକୁ ଗନ୍ଧଯୁକ୍ତ ଘାସ ମଧ୍ୟ କୁହାଯାଏ। ପାତନ ପ୍ରକ୍ରିୟାରୁ ଉତ୍ପାଦିତ କରି ଏହାକୁ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ସୁଗନ୍ଧଅତର, ବାସନା ସାବୁନ ଏବଂ ବିଭିନ୍ନ ଔଷଧ ପାଇଁ ଏହା ବ୍ୟବହାର କରାଯାଇଥାଏ।

ଭାରତରେ ଏକ ବହୁମୂଲ୍ୟ ଏବଂ ବିରଳ ଚାଷ ହେଉଛି ପାମାରୋସା ଏବଂ ଲେମନଗ୍ରାସ। ଏହା ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ବୌଦ୍ଧ ଜିଲ୍ଲା ମନୁପାଲି ଓ ବାଉଁଶୁଣି ପଞ୍ଚାୟତରେ। ପ୍ରାୟ ୧୦୦ ଏକର ଚାଷ ଜମିରେ ଲଗାଯାଇଛି ଏହି ବିରଳ ଗନ୍ଧଯୁକ୍ତ ଘାସ। ପାମାରୋସା ଘାସକୁ ଉଦ୍ଭିଦ ବିଜ୍ଞାନ ଭାଷାରେ ସିମ୍ବୋପୋଗୋନ ମାରଟିନି ମୋଟିଆ ବୋଲି କୁହାଯାଉଥିବା ବେଳେ ଲେମନଗ୍ରାସ ପ୍ରଜାତିକୁ କେବଳ ସିମ୍ବୋପୋଗୋନ କୁହାଯାଇଥାଏ। ଏହି ଘାସକୁ ଚାଷକରି ପାତନ ପ୍ରକ୍ରିୟା ଦ୍ୱାରା ଉତ୍ପାଦିତ କରିବା ବାଷ୍ପଶୀଳ ତୈଳ ପ୍ରସ୍ତୁତ କରାଯାଇଥାଏ। ଯାହାକୁ ଇଂରାଜୀରେ ଷ୍ଟିମ ଡିଷ୍ଟିଲେସନ ପ୍ରକ୍ରିୟା କୁହାଯାଏ। ଲେମନଗ୍ରାସରୁ ବାହାର କରାଯାଉଥିବା ତେଳର ମୂଲ୍ୟ ଅଧିକ ଥିବା ବେଳେ ବିଭିନ୍ନ ରୋଗର ନିରାକରଣ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଏ। ସେହିପରି ପାମୋରୋସା ଘାସକୁ ସୁଗନ୍ଧ ଅତର, ବାସନା ସାବୁନ ତିଆରି ପାଇଁ ବ୍ୟବହାର କରାଯାଏ।

ଗତ ତିନି ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ବହୁମୂଲ୍ୟ ଘାସ ଚାଷର ଚାହିଦା ଓଡ଼ିଶାରେ ନଥିବା ବେଳେ ଏହାକୁ ହାଇଦ୍ରାବାଦ,ଦିଲ୍ଲୀ, ମୂମ୍ବାଇ ଭଳି ସହରରେ ବିକ୍ରି କରାଯାଉଛି। ତେଣୁ ଏହାର ଦାମ ଆକାଶଛୁଆଁ। ବର୍ଷକୁ ୪ଥର ଏହି ଘାସକୁ ଜମିରୁ କଟାଯାଏ। ଆଉ କେବଳ ଏକ ଏକର ଲେମନଗ୍ରାସ ଏକାଥରେ ୯୦ଲିଟର ତେଲ ପ୍ରସ୍ତୁତ ହେଉଥିବା ବେଳେ ପାମୋରୋସା ଘାସରୁ ୫୦ଲିଟର  ଏକର ପିଛା ବାହାର କରାଯାଏ। ପାଞ୍ଚ କୁଇଣ୍ଟାଲ ଟାଙ୍କିରେ ଘାସ କାଟି ଦେଢଘଣ୍ଟା ବାଷ୍ପ କରିବା ପରେ କଣ୍ଟେନର ସାହାଯ୍ୟରେ ପାଣି ଏବଂ ତେଲକୁ ଅଲଗା କରାଯାଏ। ବହୁତ କମ ଚାଷୀ ଏଥିପ୍ରତି ଆଗ୍ରହ ଦେଖିାଇ ବୈଷୟିକ ପଦ୍ଧତିରେ ଚାଷ କରୁଛନ୍ତି।

ସେପେଟେ କିଛି ଆନ୍ଧ୍ର ଚାଷୀ ବୋୖଦ୍ଧକୁ ଆସି ଚାଷ କରି ବେଶ ଦୁଇ ପଇସା ରୋଜଗାର କରିପାରୁଥିବା ବେଳେ ଅନ୍ୟଚାଷୀମାନେ ଏଥି ପ୍ରତି ଆଗ୍ରହ ଦେଖାଇଲେ ଲାଭବାନ ହୋଇପାରିବେ ବୋଲି କହିଛନ୍ତି ଘାଷଚାଷୀ। ଜିଲ୍ଲାର ବିଭିନ୍ନ ଅଂଚଳରେ ଜମିକୁ ଲିଜ ସୂତ୍ରରେ ନେଇ ଏଇ ଘାସ ଚାଷ କରିବା ସହ ଘାସରୁ ତେଲ ପ୍ରସ୍ତୁତ କରି ବାହାର ରାଜ୍ୟରେ ବିକି ବେଶ ଦି ପଇସା ରୋଜଗାର କରିବା ସଙ୍ଗେ ସଙ୍ଗେ ଏଠାକାର ଶ୍ରମିକ ମାନଙ୍କୁ ରୋଜଗାର ଯୋଗାଇ ଦେଉଛନ୍ତି। ଅନ୍ୟପଟେ ଓଡ଼ିଶାରେ କୌଣସି ଶିଳ୍ପ ନଥିବା ଯୋଗୁ ଏହାର ଚାହିଦା ଓଡ଼ିଶାରେ ନଥିବା ବେଳେ ଚାଷୀମାନଙ୍କ ଏଥିପ୍ରତି ଆଗହ ବଢୁଛି ବୋଲି କହିଛନ୍ତି ସହକାରୀ ଉଦ୍ୟାନ ନିର୍ଦ୍ଦେଶକ।

ବିରଳ ଚାଷରୁ ବହୁମୂଲ୍ୟ ତେଲ ଉତ୍ପାଦନ ହେଉଥିବା ବେଳେ ଲାଭ ମଧ୍ୟ ଅନେକ ପରିମାଣରେ ପାଉଛନ୍ତି ଚାଷୀ। ଏହାକୁ ଲୋକଲୋଚନକୁ ଆଣିବା ସହିତ ଅନ୍ୟଚାଷୀମାନଙ୍କୁ ପ୍ରୋତ୍ସହନ ଯୋଗାଇଲେ ଚାଷୀମାନ ଭଲ ପଇସା ରୋଜଗାର କରି ପାରିବେ ଏଥିରେ ସନ୍ଦେହ ନାହିଁ।