ମହିଳାଙ୍କ ଶାରୀରିକ ଗଠନ ୩୬-୨୪-୩୬ ହେବା ଉଚିତ୍ ! ବିବାଦରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ସିଲାବସ୍

61

କନକ ବ୍ୟୁରୋ : ସ୍କୁଲ ଛାତ୍ର ପଢୁଛନ୍ତି ମହିଳାଙ୍କ ଶରୀର ଗଠନର ପାଠ । କୋମଳମତି ଛାତ୍ର ଶିଖୁଛନ୍ତି ମହିଳାଙ୍କ ଶରୀର ଗଠନ କେମିତି ହେବା ଉଚିତ । ଆଉ ମହିଳାଙ୍କ ଶରୀରର ସବୁଠୁ ଭଲ ଗଠନ କଣ । ସିବିଏସଇ ଟେକ୍ସଟ୍ ବୁକ୍ ପାଠ୍ୟକ୍ରମରେ ରହିଛି ଏଭଳି ବିଷୟ । ବହିର ନାଁ ରହିଛି ‘ହେଲଥ ଆଣ୍ଡ୍ ଫିଜିକାଲ ଏଜୁକେସନ୍’ ।

ସିବିଏସଇ ଦ୍ୱାଦଶ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଏହି ବହିରେ ରହିଛି ମହିଳାଙ୍କ ସବୁଠାରୁ ଭଲ ଶରୀର ଗଠନ ହେଉଛି ୩୬-୨୪-୩୬ । ଆଉ ବିଶ୍ୱ ସୁନ୍ଦରୀ କିମ୍ବା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଏଭଳି ଗଠନକୁ ବିଚାରକୁ ନିଆଯାଇଥାଏ ବୋଲି ମଧ୍ୟ ପୁସ୍ତକରେ ଉଲ୍ଲେଖ ରହିଛି । ଦିଲ୍ଲୀସ୍ଥିତ ‘ନିୟୂ ସରସ୍ୱତୀ ହାଉସ’ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକଟିର ଲେଖକ ହେଉଛନ୍ତି ଡକ୍ଟର ଭିକେ ବର୍ମା ।

ତେବେ ସିବିଏସଇ ପାଠ୍ୟକ୍ରମରେ ଏହି ପୁସ୍ତକକୁ ସାମିଲ ନେଇ ବିବାଦ ଜୋର ଧରିଛି । ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏଭଳି ବିଷୟ ଶିକ୍ଷା ଦେବାକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । ଛୋଟ ପିଲାଙ୍କୁ ଏହା ଭୁଲ ଦିଗରେ ପରିଚାଳିତ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଅଭିଭାବକ ଓ ବୁଦ୍ଧିଜୀବୀ । ତେଣୁ ସିବିଏସଇ ପାଠ୍ୟକ୍ରମରୁ ଏହି ପୁସ୍ତକକୁ ବାଦ୍ ଦେବାକୁ ସୋସିଆଲ ମିଡିଆରେ ଦାବି ହୋଇଛି ।