ବଲାଙ୍ଗୀରରେ ବନ୍ଧୁକ ମୁନରେ ଆତଙ୍କ ଚଳାଇଥିବା ଯୁବକକୁ କାବୁ କଲା ପୁଲିସ । କାବୁ କଲା ବେଳେ ପୁଲିସ ଉପରକୁ ୨ ରାଉଣ୍ଡ ଫାଇରିଂ କରିଥିଲା ଅଭିଯୁକ୍ତ

311

କନକ ବ୍ୟୁରୋ : ବଲାଙ୍ଗୀର ଶାନ୍ତିପଡାରେ ବନ୍ଧୁକଧାରୀ ଯୁବକ ବିକ୍ରମ ପଣ୍ଡାକୁ କାବୁ କରିଛି ପୁଲିସ । କୌଶଳକ୍ରମେ ଯୁବକକୁ କାବୁ କରିଛି ପୁଲିସ ଓ ଅଗ୍ନିଶମବାହିନୀର ମିଳିତ ଟିମ୍ । ତେବେ ବିକ୍ରମକୁ କାବୁ କଲାବେଳି ସେ ପୁଲିସ ଉପକୁ ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିବା ଏସପି ସୂଚନା ଦେଇଛନ୍ତି । ଶାନ୍ତିପଡାର ମଦନ ମୋହନ ହୋତାଙ୍କ ଘରେ ଆଜି ସକାଳେ ବିକ୍ରମ ପଶିଯାଇ ମଦନଙ୍କ ପରିବାରର ସମସ୍ତଙ୍କୁ ବନ୍ଧୁକ ମୁନରେ ବନ୍ଧକ ରଖିଥିଲା । ଖବର ପାଇ ପୁଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ଯୁବକ କବଳରୁ ପରିବାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।
ତେବେ ପ୍ରେମ ବ୍ୟାପାରକୁ ନେଇ ଯୁବକ ଜଣକ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି । ବିକ୍ରମ ବନ୍ଧୁକ ମୁନରେ ବନ୍ଧକ ରଖିଥିବାରୁ ଅଘଟଣ ଆଶଙ୍କାରେ ସତର୍କ ପଦକ୍ଷେପ ନେଇଥିଲା ପୁଲିସ । ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ ବଲାଙ୍ଗିର ଏସପି ନୀତିନ କୁଳଶେଖର । ପ୍ରାୟ ୬ ଘଂଟାର ଅପରେସନ ପରେ ବନ୍ଧକ ଥିବା ସମସ୍ତଙ୍କୁ ବନ୍ଦ ଘରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଓ ପୋଲିସ । ଘର କବାଟ ବନ୍ଦ ଥିବାରୁ କବାଟ ଖୋଲିବାକୁ ବିକ୍ରମ ମନା କରିବାରୁ ଶିଢ଼ି ପକାଇ ଘର କାନ୍ଥରେ ଚଢ଼ିବା ସହ ଝରକାର କାଚ ଭାଙ୍ଗି ସେହି ବାଟ ଦେଇ ରଶି ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ପରିବାରର ସମସ୍ତ ଉଦ୍ଧାର ହେବା ପରେ ବି ଅଭିଯୁକ୍ତ ବିକ୍ରମ ପଣ୍ଡା ଘରେ ରହିଥିଲା ।ଏବଂ କେହି ଘର ଭିତରକୁ ପ୍ରବେଶ ଉଦ୍ୟମ କଲେ ଆତ୍ମହତ୍ୟା କରିବ ବୋଲି ଧମକ ମଧ୍ୟ ଦେଉଥିଲା । କୌଶଳକ୍ରମେ ପୁଲିସ ତା କାବୁ କରି ନିଜ ହେପାଜତକୁ ନେଇଛି ।