ରେଳ ଷ୍ଟେସନରେ ଟିକେଟ୍ ବୁକିଂ କଲେ ଗ୍ରାହକଙ୍କୁ ମିଳିବ ଛାଡ । ଜାଣନ୍ତୁ କଣ ରହିଛି ରେଳ ବିଭାଗର ଅଫର

669

କନକ ବ୍ୟୁରୋ : ପୂର୍ବ ବର୍ଷ କରୋନା ମହାମାରୀ କାରଣରୁ ଦେଶରେ ରେଳସେବାକୁ ବନ୍ଦ କରିଦିଆଯାଇଥିଲା । କରୋନା ସଂକ୍ରମଣର ପ୍ରଥମ ଲହର ଥମିବାପରେ ଧିରେ ଧିରେ କିଛି ରେଳ ଚଳା ଚଳ ପାଇଁ ଅନୁମତି ମିଳିଥିଲା । ମାତ୍ର କିଛିଦିନ ଏହି ରେଳ ଚଳା ଚଳ କରିବା ମଧ୍ୟରେ ଦେଶରେ ଆରମ୍ଭ ହୋଇଯାଇଥିଲା କରୋନା ସଂକ୍ରମଣର ଦ୍ୱିତୀୟ ଲହର । ପୁଣିଥରେ ସରକାର କିଛି ଟ୍ରେନ ଚଳା ଚଳ ଉପରେ ରୋକ ଲଗାଇଥିଲେ । ଏବେ କରୋନା ସଂକ୍ରମଣ କମିବା ପରେ ପୁଣି ରେଳ ଚଳା ଚଳ ସ୍ୱଭାବିକ ହେବାକୁ ଯାଉଛି । ଏହାରି ମଧ୍ୟରେ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ମନ୍ତ୍ରଣାଳୟ ଏକ ଖୁସି ଖବର ଆଣିଛି ।

ରେଳ ମନ୍ତ୍ରଣାଳୟ ଷ୍ଟେସନରୁ ଯେଉଁ ଯାତ୍ରୀ ୟୁପିଆଇ ଓ ଭୀମ ଆପ ଜରିଆରେ ଟିକେଟ କରିବେ ସେମାନଙ୍କୁ ଟିକେଟ ମୂଲ୍ୟରୁ କିଛି ଟଙ୍କା ଛାଡ କରାଯିବ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରଣାଳୟ । ମନ୍ତ୍ରଣାଳୟର ସୂଚନା ମୁତାବକ ଯେଉଁ ଯାତ୍ରୀ ଷ୍ଟେସନରୁ ଏହି ଆପ ଜରିଆରେ ଟଙ୍କା ପୈଠ କରି ଟିକେଟ କିଣିବେ ସେମାନଙ୍କୁ ଟିକେଟର ମୂଳ ଦାମ ଉପରେ ୫ ପ୍ରତିଶତ ଛାଡ ମିଳିବ ।

ଭାରତୀୟ ରେଳ ବିଭାଗ ଏହି ଅଫର ଘୋଷଣା କରିବା ବେଳେ କହିଛନ୍ତି କି ଯାତ୍ରୀ ମାନଙ୍କୁ ଏହି ସୁବିଧା ଜୁନ ୧୨ ତାରିଖ ୨୦୨୨ ପର୍ଯ୍ୟନ୍ତ ମିଳିବ । କହିରଖୁ କି ୧ ଡିସେମ୍ବର ୨୦୧୭ ମସିହାରେ ବି ଏଭଳି ଏକ ଅଫର ଘୋଷଣା କରିଥିଲା ଭାରତୀୟ ରେଳ ବିଭାଗ ।

ଯାତ୍ରୀମାନେ କେବଳ ରେଳ ଷ୍ଟେସନ କାଉଁଣ୍ଟରରୁ ଟିକେଟ କିଣିଲେ ଏଭଳି ଲାଭ ପାଇପାରିବେ । ଅନଲାଇନ୍ ଟିକେଟ ବୁକିଂ କରୁଥିବା ଯାତ୍ରୀଙ୍କୁ ଏହି ଲାଭ ମିଳିବ ନାହିଁ । ଏହାସହ ଯାତ୍ରୀ କିଣୁଥିବା ଟିକେଟର ମୂଲ୍ୟ ୧୦୦ ଟଙ୍କା ଉପରେ ହୋଇଥିବା ଆବଶ୍ୟକ ।