ଏଣିକି ସୁବିଧାରେ ଲୋକମାନେ ପାଇପାରିବେ ମେଡିସିନ । ଭାରତରେ ପ୍ରଥମଥର ପାଇଁଁ ଆରମ୍ଭ ହେବ ମେଡିକାଲ ଡ୍ରୋନ ଡେଲିଭରି ।

214

କନକ ବ୍ୟୁରୋ: ଦୂର ହେବ ସ୍ୱାସ୍ଥ୍ୟ ଜନିତ ସମସ୍ୟା । ଏଣିକି ଘରେ ଘରେ ପହଞ୍ଚିବ ମେଡିସିନ । ଆଉ ଏହି ମେଡିସିନ ପହଞ୍ଚିବ ଡ୍ରୋନ ମାଧ୍ୟମରେ । ସହଜ ଆଉ ସୁବିଧାରେ ଏଣିକି ଲୋକମାନେ ପାଇପାରିବେ ଏହି ସେବା । ଭାରତରେ ପ୍ରଥମଥର ପାଇଁଁ ଆରମ୍ଭ ହେବ ମେଡିକାଲ ଡ୍ରୋନ ଡେଲିଭରି । ଆଉ ଏହି ଡ୍ରୋନର ନାଁ ହେଉଛି ବେଅଣ୍ଡ ଦ ଭିଜୁଆଲ ଲାଇନ ଅଫ ସାଇଟ । ଏହାର ଟ୍ରାଏଲ ପାଇଁ ଡିଜିସିଏ ପକ୍ଷରୁ ଅନୁମତି ମିଳିସାରିଛି । ଜୁନ ୧୮ ତାରିଖରେ ବେଙ୍ଗାଳୁରୁରେ ଏହି ସେବାର ଟ୍ରାଏଲ ଆରମ୍ଭ ହେବ ।

ଥ୍ରୋଟଲ ଏୟାରସ୍ପେସ ସିଷ୍ଟମ୍ସ କମ୍ପାନୀ ଏହି ସେବା ଯୋଗାଇ ଦେବ । କମ୍ପାନୀକୁ ମାର୍ଚ୍ଚ ୨୦୨୦ରେ ଡିଜିସିଏ ପକ୍ଷରୁ ଅନୁମତି ମିଳିସାରିଥିଲା । ଡ୍ରୋନ ମେଡିସିନ ଡେଲିଭରି ବହୁ ପୂର୍ବରୁ ଆରମ୍ଭ ହୋଇ ପାରିଥାନ୍ତା । ହେଲେ କରୋନା ମହାମାରୀ ଯୋଗୁଁ ଏଥିରେ ବହୁ ବିଳମ୍ବ ହୋଇଗଲା । ଏବେ ଏହାର ଟ୍ରାଏଲ କାମ୍ପାନୀ ବେଙ୍ଗାଳୁରୁଠାରୁ ୮୦ କିଲୋମିଟର ଦୂର ଗୌରୀବିଦନୁରରେ ଆରମ୍ଭ କରିବ । ଏହି ଟ୍ରାଏଲ ୩୦ରୁ ୪୫ ଦିନ ଯାଏଁ ଚାଲିବ ।

ଏହି ସେବାରେ ଟିଏଏସ ସହ ଆହୁରି ଅନେକ କମ୍ପାନୀଙ୍କ ଭାଗୀଦାରୀ ରହିଛି । ନାରାୟଣ ହେଲଥ ଏହି ସେବାରେ ଡ୍ରୋନରେ ଔଷଧ ଉପଲବ୍ଧ କରାଇବ । ସେହିପରି ଇନବୋଲି ସ୍ୱିସ ବି ସାମି ଅଛି ଯିଏକି ଏୟାର ଟ୍ରାଫିକର ସ୍ପେସାଲିଷ୍ଟ ଭାବେ କାମ କରୁଛି । ଏହା ବ୍ୟତୀତ ହନୀବଲ ଏୟାରସ୍ପେସ କମ୍ପାନୀ ମଧ୍ୟ ସାମିଲ ରହିଛି ।

ଏହି ସେବାରେ ୨ ପ୍ରକାର ଡ୍ରୋନର ବ୍ୟବହାର କରାଯିବ । ଗୋଟିଏ ମେଡ-କପ୍ଟର ଓ ଅନ୍ୟଟି ଟିଏଏସ । ମେଡ-କପ୍ଟରର ଛୋଟ ଭାରିଏଣ୍ଟର ଓଜନ ୧କେଜି ଯାହାକି ୧୫ କିଲୋମିଟର ଯାଏଁ ଉଡିପାରିବ । ସେହିପରି ଦ୍ୱିତୀୟଟିର ଓଜନ ୨ କେଜି, ଆଉ ଏହା ୧୨ କିଲୋମିଟର ଯାଏଁ ଉଡି ପାରିବ ।

ଏହି ଡ୍ରୋନକୁ ୧୦୦ କିଲୋମିଟର ଯାଏଁ ଉଡାଇବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛି । ତେବେ ଏହାର ଟ୍ରାଏଲ ପରେ ଏହାର ସମୀକ୍ଷା ପାଇଁ କତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ । ଏହାପରେ ଏହି ସେବା ଦେଶରେ ଯୋଗାଇବା ଆରମ୍ଭ ହେବ । ଔଷଧ ବ୍ୟତୀତ ଅନ୍ୟ ମେଡିକାଲ ସେବା ମଧ୍ୟ ଏଥିରେ ଯୋଗାଇ ଦିଆଯିବ ।