ବାହୁବଳୀ ପୋଲିସ ଅଫିସର, କେଉଁ ଗୁଣରେ ହିରୋଙ୍କ ଠାରୁ ବି କମ ନୁହଁନ୍ତି

234

କନକ ବ୍ୟୁରୋ : ଆଜି ସାରାଦେଶ ୭୩ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏନେଇ ଦେଶର ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀର ରାଜପଥରେ ଏନେଇ ଚାଲିଥିବା ପ୍ୟାରେଡରେ ଭିଆଇପିଙ୍କ ସୁରକ୍ଷା ପାଇଁ ୨୭ ହଜାର ପୋଲିସ କର୍ମୀ ନିୟୋଜିତ ହୋଇଛନ୍ତି ।

ପୋଲିସ କର୍ମୀମାନେ ଦେଶର ଆଇନ ବ୍ୟବସ୍ଥାକୁ ସୁରକ୍ଷା ଦେବା ସହ ଅପରାଧିଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥାନ୍ତି । ଏଣୁ ପୋଲିସ କର୍ମୀଙ୍କ ପାଇଁ ଫିଟନେଓ ନିହାତି ଜରୁରୀ ହୋଇଥାଏ । ହେଲେ ଦେଶରେ ପୋଲିସ ବିଭାଗରରେ ଏମିତି କିଛି କର୍ମୀ ରହିଛନ୍ତି କି ସେମାନଙ୍କ ଫିଟନେସକୁ ଦେଖିଲେ ଆପଣଙ୍କ ଆଖି ଲାଖିଯିବ । ଏହାସହ ଏମାନଙ୍କ ଶରୀରର ଗଠନ ଦେଖିବା ପରେ ମହା ମହା ଅପରାଧିକ ଝାଳ ବୋହିପଡିବ । ଏମାନେ ସୁନ୍ଦରତା ସହିତ ନିଜ ଶାରୀରିକ ଗଠନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

ବଲଦେବ କୁମାର : ୫୩ ବର୍ଷିୟ ଇନସ୍ପେକ୍ଟର ବଲଦେବ କୁମାର ଦେଶର ସବୁଠାରୁ ଫିଟ୍ ପୋଲିସକର୍ମୀମାନଙ୍କ ମଧ୍ୟରେ ଗଣତି ହୋଇଥାନ୍ତି । ବଲଦେବ ହରିଆଣାର କୁରକ୍ଷେତ୍ର ଠାରେ ରହିଥାନ୍ତି । ହେଲେ ଏବେ ସେ ଚଣ୍ଡିଗଡରେ ନିୟୋଜିତ ଅଛନ୍ତି । ସେ ୧୯୯୫ ମସିହାରେ ପୋଲିସ ବିଭାଗରେ ଭର୍ତ୍ତି ହୋଇଥିଲେ । ଏହାପରେ ୨୦୧୫ ମସିହାରେ ସେ ଇନସ୍ପେକ୍ଟର ଭାବେ ପଦୋନ୍ନତୀ ପାଇଥିଲେ । ସେ ୪୫ ବର୍ଷ ବୟସରେ ବଡି ବିଲ୍ଡିଂ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଥର ଜାତୀୟ ଓ ଅର୍ନ୍ତଜାତୀୟ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କାର ହାସଲ କରିଛନ୍ତି ।

ଜେଲର ଦୀପକ ଶର୍ମା : ଦୀପକ ଶର୍ମା ଏବେ ତିହାର ଜେଲର ଜେଲର ଭାବେ ନିୟୋଜିତ ଅଛନ୍ତି । ସେ ୨୦୦୯ ରେ ପୋଲିସ ବିଭାଗରେ ଭର୍ତ୍ତି ହୋଇଥିଲେ । ସଲମାନ ଖାନଙ୍କ ଦବଙ୍ଗ ସିନେମା ଦେଖିବା ପରେ ସେ ନିଜକୁ ଫିଟ କରିବାରେ ଲାଗିପଡିଥିଲେ । ଏବେ ତାଙ୍କ ଛାତିର ଚଉଡା ୪୮ ଇଂଚ ରହିଛି ଓ ବାଇସେପ ୧୯ ଇଂଚ । ସେ ବି ଅନେକ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଭାଗ ନେଇ ପଦକ ହାସଲ କରିଛନ୍ତି ।

କିଶୋର ଡାଙ୍ଗେ : କିଶୋର ଡାଙ୍ଗେ ଏବେ ମହାରାଷ୍ଟ୍ର ପୋଲିସରେ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ । ତାଙ୍କୁ ମହାରାଷ୍ଟ୍ର ପୋଲିସର ‘ଅର୍ନାଲଡୋ’ ବୋଲି କୁହାଯାଏ । ସେ ଏକ ଗରିବ ପରିବାରରୁ ଆସିଥିଲେ ବି କେବଳ ପୋଲିସ ବିଭାଗରେ ଭର୍ତ୍ତି ହେବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା । ସେ ପୋଲିସ ବିଭାଗରେ ଭର୍ତ୍ତି ହେବା ପରେ ବଡି ବିଲ୍ଡିଂ ଆରମ୍ଭ କରିଥିଲେ ।

ମୋତିଲାଲ ଦାଏମା : ମୋତିଲାଲ ଦାଏମା ଏବେ ମଧ୍ୟପ୍ରଦେଶ ପୋଲିସରେ କାର୍ଯ୍ୟରତ । ଭିଡ ନିୟନ୍ତ୍ରଣ କରୁଥିବା ପୋଲିସ ଫୋର୍ସକୁ ସେ ଟ୍ରେନିଂ ଦେଇଥାନ୍ତି । ପୋଲିସ ପାଇଁ ବଡି ବିଲ୍ଡିଂ ପ୍ରତିଯୋଗିତା ବି ସେ ଆୟୋଜନ କରିଥାନ୍ତି । ଏବେ ଏବେ ତାଙ୍କର ଆଣ୍ଠୁ ଅପରେଶନ ହୋଇଛି । ହେଲେ ସେ ଖୁବ କମସମୟ ମଧ୍ୟରେ ପୁଣି ବଡି ବିଲ୍ଡିଂ ଆରମ୍ଭ କରିବେ ବୋଲି କହିଛନ୍ତି ।

ରୁବଲ ଧନକର : ରୁବଲ ଧନକର ଏବେ ଦିଲ୍ଲୀ ପୋଲିସ ବିଭାଗରେ ରହି ସେବା ଯୋଗାଉଛନ୍ତି । ସେ ଜଣେ ୟୁଟ୍ୟୁବର ହୋଇଥିବାରୁ ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ରହିଛନ୍ତି । ସେ ଭିଡିଓ ମାଧ୍ୟମରେ ଲୋକଙ୍କୁ ଫିଟ ରହିବାକୁ ବିଭିନ୍ନ ପରାମର୍ଶ ଦେଇଥାନ୍ତି । କିନ୍ତୁ ଦୁଃଖର କଥା କି ୨୦୦୯ ମସିହାରେ ତାଙ୍କର ଅଧାମୁହଁ ପକ୍ଷାଘାତରେ ଶିକାର ହୋଇଥିଲା । ହେଲେ ସେ ଏହାକୁ ଭୂକ୍ଷେପ ନକରି ପକ୍ଷାଘାତକୁ ଜିତିପାରିଥିଲେ ।