ଧୋନୀଙ୍କ ଭଳି ଖେଳାଳି ଆଜି ଯାଏଁ ଦେଖିନି, ସଚିନ ବି ତାଙ୍କ ଆଗରେ ଫେଲ୍ । ପଢନ୍ତୁ, ମାହିଙ୍କୁ ନେଇ କିଏ କହିଲେ ଏମିତି କଥା ।

356

କନକ ବ୍ୟୁରୋ: ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏକମାତ୍ର ଅଧିନାୟକ ଯିଏକି, ଆଇସିସିର ତିନୋଟି ଟୁର୍ଣ୍ଣାମେଣ୍ଟ (ଟି-୨୦, ଦିନିକିଆ ବିଶ୍ୱକପ୍, ଚାମ୍ପିୟନ୍ସ ଟ୍ରଫି)ରେ ଟ୍ରଫି ହାତେଇଛନ୍ତି । ଖାଲି ସେତିକି ନୁହେଁ, ଧୋନୀ ନିଜର ଶାନ୍ତ ସ୍ୱଭାବ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏହି କାରଣରୁ ତାଙ୍କୁ ଅନେକ ଦିଗଜ୍ଜ ଖେଳାଳି ମଧ୍ୟ ପ୍ରଂଶସା କରିଛନ୍ତି ।

ଏବେ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବିଶାସ୍ତ୍ରୀ । ଶାସ୍ତ୍ରୀଙ୍କ କହିବା କଥା, ମୁଁ ଧୋନୀଙ୍କୁ ଚେହେରାରେ କେବେ ବି ରାଗ ଦେଖିିନି । ଏହି ମାମଲାରେ ସେ ସଚିନ ତେନ୍ଦୁଲକର ମଧ୍ୟ ଧୋନୀଙ୍କ ଆଗରେ ଫେଲ୍ ମାରିବେ । କାହିଁକି ନା ବେଳେବେଳେ ସଚିନ କିଛି କାରଣରୁ ରାଗି ଯାଉଥିଲେ ମଧ୍ୟ ଧୋନୀ କଦାପି ରାଗିନଥାନ୍ତି ବୋଲି ଶାସ୍ତ୍ରୀ କହିଛନ୍ତି ।

ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତାରଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ରବି ଶାସ୍ତ୍ରୀ ଧୋନୀଙ୍କ ପ୍ରଂଶସା କରି ଏପରି କହିଛନ୍ତି । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧୋନୀ ସବୁବେଳେ ବାସ୍ତବିକତା କଣ ଜାଣିଥିଲେ । ତାଙ୍କ ଭଳିଆ ବ୍ୟକ୍ତିତ୍ୱ ସେ କେବେ ବି ଦେଖିନାହାଁନ୍ତି । ଜିରୋ ରନ୍ କରନ୍ତୁ ବା ଶତକ । ବିଶ୍ୱକପ୍ ଉଠାନ୍ତୁ ବା ସିରିଜ୍ ହାରନ୍ତୁ, ଏହାର ପ୍ରଭାବ ଧୋନୀଙ୍କ ଉପରେ କେବେ ବି ପଡିନଥାଏ ବୋଲି ଶାସ୍ତ୍ରୀ କହିଛନ୍ତି । ତା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ସଚିନଙ୍କ ଭଳି ଦିଗଜ୍ଜ ଖେଳାଳିଙ୍କୁ ଦେଖିଛନ୍ତି । ହେଲେ କେବେ ବି ଧୋନୀଙ୍କ ଭଳି ଗୁଣ ସେ କାହା ଭିତରେ ଦେଖିବାକୁ ପାଇନାହାଁନ୍ତି ।

ସୂଚନାଯୋଗ୍ୟ ଯେ, ଧୋନୀଙ୍କର ଜଣେ ପ୍ରଂଶସକ ଭାବେ ଶାସ୍ତ୍ରୀ ବେଶ ଜଣାଶୁଣା । ବିଭିନ୍ନ ସମୟରେ ସେ ଧୋନୀଙ୍କ ପ୍ରଂଶସା କରୁଥିବା ଦେଖିବାକୁ ମିଳିଛି । ହେଲେ ବର୍ତ୍ତମାନ ସମୟରେ ସେ ଦେଇଥିବା ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ବଢିଛି ।