ଅବସର ନେଲା ରାଷ୍ଟ୍ରପତିଙ୍କ ବଡିଗାର୍ଡ ଘୋଡା: ଜାଣନ୍ତୁ ‘ବିରାଟ’ ବିଷୟରେ ସବୁ କିଛି…

261

କନକ ବ୍ୟୁରୋ: ଆଜି ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ । କରୋନା କଟକଣା ଭିତରେ ଆଜି ସକାଳେ ଦିଲ୍ଲୀ ରାଜପଥରେ ପରେଡ ଆୟୋଜିତ ହୋଇଛି । ଏହି ସମୟରେ ଦେଶର ସୈନ୍ୟ ଶକ୍ତିଠାରୁ ଆରମ୍ଭ କରି ସାଂସ୍କୃତି ଓ ପରମ୍ପରାକୁ ଦେଖିବାକୁ ମିଳିଥିଲା । ଆଉ ଆଜିର ଗଣତନ୍ତ୍ର ଦିବସକୁ ଖାସ କରିଛି ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକ ଦଳର ଘୋଡା ବିରାଟ । ଆଜିର ସାଧାରଣତନ୍ତ୍ର ଦିବସ ବିରାଟ ପାଇଁ ଶେଷ ସାଧାରଣତନ୍ତ୍ର ଦିବସ । କାରଣ ଆଜି ଅବସର ନେଇଛି ବିରାଟ । ତେବେ ଆସନ୍ତୁ ଜାଣିବା ବିରାଟ ବିଷୟରେ ସବୁକିଛି ।

ବିରାଟ ୧୩ ଥର ସାଧାରଣତନ୍ତ୍ର ଦିବସରେ ଭାଗ ନେଇ ସାରିଛି । ଆଜି ସାଧାରଣତନ୍ତ୍ର ଦିବସ ପରେଡ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରକ୍ଷାମନ୍ତ୍ରୀ ରାଜନାଥ ସିଂ ତା ପାଖକୁ ଯାଇଥିଲେ । ଆଉ ତା ଦେହରେ ହାତ ମାରି ତାକୁ ସ୍ନେହ କରିଥିଲେ ।

ବିରାଟ ନିଜ ଯୋଗ୍ୟତା ଆଉ ସେବା ପାଇଁ ଅନେକ ଥର ସମ୍ମାନୀତ ହୋଇ ସାରିଛି । ବିରାଟ ରାଷ୍ଟ୍ରପତିଙ୍କ ଅଙ୍ଗ ରକ୍ଷକ ଦଳର ପ୍ରମୁଖ ସଦସ୍ୟ ରହିଥିଲେ । ତାକୁ ପ୍ରେସିଡେଣ୍ଟ ବଡିଗାର୍ଡର ଚାର୍ଜର ମଧ୍ୟ କୁହାଯାଏ । ବିରାଟକୁ ଏହି ବର୍ଷ ସେନା ଦିବସ ଅବସରରେ ଚିଫ ଅଫ ଆର୍ମି ଷ୍ଟାଫ କମଣ୍ଡେସନ କାର୍ଡରେ ସମ୍ମାନିତ କରାଯାଇଥିଲା ।

ବିରାଟ ହେମପୁରସ୍ଥିତ ରିମାଉଣ୍ଟ ଟ୍ରେନିଂ ସ୍କୁଲରୁ ୨୦୦୩ରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକ ଭାବେ ସାମିଲ ହୋଇଥିଲେ । ବିରାଟ ହୋନୋବେରିୟନ ପ୍ରଜାତିର ଘୋଡା । ଜଣେ ଅଫିସରଙ୍କ କହିବାନୁସାରେ ଗତ ବର୍ଷ ବିଟିଙ୍ଗ ଦ ରିଟ୍ରିଟ କାର୍ଯ୍ୟକ୍ରମରେ ବୃଦ୍ଧାବସ୍ଥାରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା ।