‘ହଳଦିଆ’ କଟକ ନଗର ! ସିଲଭର୍ ସିଟିରେ ସାଂଘାତିକ ହେଲାଣି ଜଣ୍ଡିସ୍

44

କନକ ବ୍ୟୁରୋ : ଅଣାୟତ ଏବେ କଟକ ତୁଳସୀପୁର ଅଂଚଳରେ ଜଣ୍ଡିସ । ଦୂଷିତ ପାଣି ପିଇବା ଫଳରେ ରୋଗ ତାର କାୟା ବଢାଇ ଚାଲିଛି । ତାସହ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ଜଣ୍ଡିସକୁ ନେଇ ସରଗରମ ହୋଇଛି ସହରର ରାଜନୀତି । ବର୍ଷକ ତଳେ କଟକର ଜଣ୍ଡିସକୁ ପରିସ୍ଥିତି ସୁଧାରିବା ନେଇ ମିଳିଥିଲା ଲମ୍ବା ପ୍ରତିଶ୍ରୁତି । କିନ୍ତୁ ସ୍ଥିତି ଏବେ ସେହି ଏକା । ଏପଟେ ଜଣ୍ଡିସକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ ।

ଜଣ୍ଡିସ ପ୍ରଭାବିତ ଅଂଚଳକୁ ବୁଲି ଦେଖିଛନ୍ତି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ । ଶାସକ ବିଜେଡି ଅଂଚଳର ବିକାଶ ପାଇଁ ପଦକ୍ଷେପ ନେଉ ନଥିବା ଦଳ ଅଭିଯୋଗ କରିଛି । ଏହା ସହ ପ୍ରତିବର୍ଷ କଟକରେ ଜଣ୍ଡିସ ବ୍ୟାପୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ଆନ୍ତରିକତା ନଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ।

ନରାଜରୁ ମହାନଦୀର ବିଶୁଦ୍ଧ ପାଣି କଟକବାସୀଙ୍କୁ ନମିଳିବା ପର୍ଯ୍ୟନ୍ତ ଏଭଳି ପରିସ୍ଥିତିର ସମାଧାନ ହୋଇପାରିବ ନାହିଁ । ଏହି ପ୍ରକଳ୍ପର ଉଦଘାଟନ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ କରିଛି ବିଜେପି । ବିରୋଧୀ ଲୋକଙ୍କ ଅସମୟରେ ରାଜନୀତି କରୁଛି ବୋଲି ସମାଲୋଚନା କରିଛନ୍ତି କଟକ ବାରବାଟୀ ବିଧାୟକ ।
କଟକରେ ଜଣ୍ଡିସ ବ୍ୟାପିବା ପରେ ଆରଡିସି, ଜିଲ୍ଲାପାଳ, ନଗର ଉନ୍ନୟନ ସଚିବ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ତୁରନ୍ତ ପଦକ୍ଷେପ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଏବେ ରାଜନେତାଙ୍କ ଧାଡି ଲାଗିଛି । କିନ୍ତୁ ବାସ୍ତବରେ ଲୋକଙ୍କ ସମସ୍ୟା ସୁଧୁରୁ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।