ରାଜନୀତିରେ ଅବଢା ! ପୁରୀକୁ ଐତିହ୍ୟ ସହର କରି ଭୋଟ୍ ପାଇବାକୁ ନବୀନଙ୍କ ଗୋଟିଚାଳନା

21

କନକ ବ୍ୟୁରୋ : ଜଗନ୍ନାଥ, ମହାପ୍ରସାଦ, ଅବଢ଼ା । ଇଏ ଏମିତି କିଛି ଶବ୍ଦ ଯାହା ସାଧାରଣ ମଣିଷ ତଥା ଓଡ଼ିଆ ଲୋକଙ୍କ ପାଇଁ ବେଶ ଗୁରୁତ୍ୱ ରଖେ । ନୂଆ ଯୋଜନାର ଲମ୍ବା ତାଲିକା ଭିତରେ ବଡ ଚତୁରତାର ସହ ଏହି ଅବଢ଼ା ଶବ୍ଦଟିକୁ ଯୋଡି ଦିଆଯାଇଛି । ହୁଏତ କେବଳ ଯୋଜନା କହିଲେ ଲୋକଙ୍କ ଦ୍ୱାରା ଯେତିକି ଆଦୃତ ହେବନାହିଁ, ତେଣୁ ସେହି ଯୋଜନାର ନାଁରେ ଯଦି ଅବଢା ଶବ୍ଦ ଯୋଡ଼ି ଦିଆଯାଏ, ତାହା ଅଧିକ ଗ୍ରହଣୀୟ ହେବ ନିଶ୍ଚିତ ।

ଚକାଚକ୍ ହେବ ସହର, ଐତିହନଗରୀ ପାଲଟିଯିବ ପୁରୀ । ଶ୍ରୀକ୍ଷେତ୍ରର ସାମଗ୍ରିକ ବିକାଶ ହେବ, ସାଧାରଣ ଭକ୍ତ ଓ ପର୍ଯ୍ୟଟକ ଉପକୃତ ହେବେ । ଚଳିତ ବଜେଟରେ ଏମିତି କିଛି ସୁନେଲୀ ସ୍ୱପ୍ନ ଦେଖାଇଛନ୍ତି ଅର୍ଥମନ୍ତ୍ରୀ । ଆଉ ଏଥିପାଇଁ ରାଜନୀତିରେ ସାମିଲ ହୋଇଛି ଅବଢ଼ା ଶବ୍ଦ । ଅବଢ଼ା ନାଁରେ ସରକାର ଘୋଷଣା କରିଥିବା ଏହି ଯୋଜନା ପାଇଁ ବ୍ୟୟ ବରାଦ ହୋଇଛି ୧୦୦ କୋଟି ।

ଠିକ୍ ସେହିପରି ପ୍ରାୟ ୨ଶହ ବର୍ଷ ଧରି ଅଲୋଡ଼ା ହୋଇ ରହିଥିବା ବକ୍ସି ଜଗବନ୍ଧୁଙ୍କ ନାଁରେ ଆସିଛି ଜଳ ଯୋଗାଣ ଯୋଜନା । ଲୋକ ଜଳ ପାଆନ୍ତୁ ବା ନ’ପାଆନ୍ତୁ ବକ୍ସି ଜଗବନ୍ଧୁ କିନ୍ତୁ ଓଡ଼ିଆଙ୍କ ହୃହୟକୁ ଛୁଇଁ ପାରିବେ ଏକଥା ଠିକ୍ ବୁଝିଛନ୍ତି ସରକାର । ବକ୍ସି ଜଗବନ୍ଧୁ ନିଶ୍ଚିତ ଜଳ ଯୋଗାଣ-ବସୁଧା ଯୋଜନା ପାଇଁ ବଜେଟରେ ବ୍ୟୟ ଅଟକଳ ରହିଛି ଏକ ହଜାର ୬୫ କୋଟି । ଏହି ଯୋଜନାରେ ଲୋକ ପାଣି ପାଆନ୍ତୁ କି ନପାଆନ୍ତୁ ବକ୍ସି ଜଗବନ୍ଧୁଙ୍କ ନାଁ ଆଗରେ ରଖି କିନ୍ତୁ ଲୋକଙ୍କ ପାଖରେ ଠିକ୍ ପହଂଚି ହେବ ଏକଥାକୁ ଠିକ୍ ବୁଝି ପାରିଛନ୍ତି ସରକାର ।

ବିଜେପି ପରେ ବିଜେଡି ବକ୍ସି ଜଗବନ୍ଧୁଙ୍କୁ ମନେ ପକାଇବା ଏବଂ ଅବଢ଼ା ଭଳି ଶବ୍ଦ ବାଛି ଯୋଜନାର ନାଁ ପ୍ରସ୍ତୁତ କରିବା । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଅନୁମାନ କରିହେଉଛି-ଯେ, ଯୋଜନାର ରୁପାୟନ ଯାହା ହେଉ ପଛକେ ଲୋକଙ୍କ ପାଖରେ ସରକାରଙ୍କ ବାର୍ତାଟି ଠିକ୍ ଭାବରେ ପହଂଚି ଯାଉ ।