ଢେଙ୍କାନାଳର ସେଲ୍ଟର ହୋମ ଯୌନ ନିର୍ଯାତନା ଘଟଣା: ବିଭାଗୀୟ ମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି

96

କନକ ବ୍ୟୁରୋ: ଢେଙ୍କାନାଳର ସେଲ୍ଟର ହୋମ ଯୌନ ନିର୍ଯାତନା ଘଟଣାରେ ବିଭାଗୀୟ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି । ଦଳ ଆଜି ଅଭିଯୋଗ କରିଛି, ମନ୍ତ୍ରୀ ପ୍ରଶାସକଙ୍କ ଜାଣତରେ ଚାଲିଥିଲା ନିର୍ଯାତନା । ନାବାଳିକା, ନାବାଳକ ଚୋରାଚାଲାଣ ଓ ଧର୍ମାନ୍ତରୀକରଣର କେନ୍ଦ୍ର ସାଜିଛି ସେଲ୍ଟର ହୋମ ।

ଏଭଳି ସଂସ୍ଥାର ପୃଷ୍ଠପୋଷକ କିଏ ଓ ପ୍ରଶାସନିକ ଏବଂ ରାଜନୈତିକ ସହାୟତା ବିନା ଏଭଳି ଅପରାଧ ହୋଇନପାରେ । ୨୦୧୫ରେ କଳାତାଲିକାଭୁକ୍ତ ହୋଇଥିବା ସଂସ୍ଥା ପୁଣି ୨୦୧୭ରୁ କେମିତି ଚାଲିଲା ବୋଲି ପ୍ରଶ୍ନ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି । ଦଳ ଆହୁରି କହିଛି, ଗୁଡ୍ ନ୍ୟୁଜ ସଂସ୍ଥାର ୨୬ଟି ଯାକ ଆଶ୍ରୟ ଗୃହକୁ ବିଜେପି ମହିଳା ମଣ୍ଡଳ ଗ୍ରସ୍ତ କରିବ ଓ ପରବର୍ତୀ ଆନ୍ଦୋଳନ ଘୋଷଣା କରିବ ।

ସେପଟେ, ଢ଼େଙ୍କାନାଳ ବେଲଟିକିରି ଗୁଡ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମ ବିବାଦ ଘନେଇବାରେ ଲାଗିଛି । ଗତକାଲି ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯିବା ପରେ ଏହି ସଂସ୍ଥା ଅଧୀନରେ ପରିଚାଳିତ ଅନ୍ୟ ସେଲଟର ହୋମ ଗୁଡିକ ଉପରେ ଚଢ଼ାଉ କରାଯାଉଛି । ଆଜି କନ୍ଧମାଳ ବାଲିଗୁଡା ଓ ଭଦ୍ରକରେ ଥିବା ଗୁଡ୍ ନ୍ୟୁଜର ସେଲଟର ହୋମ ଉପରେ ଚଢ଼ାଉ କରାଯାଇଛି । ଜିଲ୍ଳପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ, ଶିଶୁ ସୁରକ୍ଷା ଅଧିକାରୀ ଯାଇ ତଦନ୍ତ କରିଛନ୍ତି ।

ଶନିବାର ରାତିରେ ପୁରୀରେ ଗୁଡ ନ୍ୟୁଜ୍ ଇଣ୍ଡିଆର ସେଲଟର ହୋମ ଉପରେ ଚଢ଼ାଉ ହୋଇଥିବାବେଳେ ଗତକାଲି ଗଜପତି, ବାଲେଶ୍ୱର ସେଲଟର ହୋମରେ ଚଢ଼ାଉ କରିଛି ପ୍ରଶାସନ । ପଞ୍ଜୀକୃତ ହୋଇନଥିବା ଏବଂ ପଞ୍ଜୀକରଣ ହୋଇ ଚାଲୁନଥିବା ସମସ୍ତ ସେଲଟର ହୋମ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ବିଭାଗୀୟ ମନ୍ତ୍ରୀ ।