ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ପୁଣି ୬୩ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଟାଲିଗଞ୍ଜରୁ ପ୍ରାର୍ଥୀ କଲା ଦଳ ।

153

କନକ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ଆଜି ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପୁଣିଥରେ ପ୍ରାର୍ଥୀ ଘୋଷଣା କରିଛି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ମୋଟ ୬୩ ଜଣ ପ୍ରାର୍ଥୀଙ୍କ ନାଁ ତାଲିକା ଘୋଷଣା କରିଛନ୍ତି । ଯେଉଁଥିରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ୨୭ ଜଣ ପ୍ରାର୍ଥୀ ରହିଥିବାବେଳେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ପାଇଁ ୩୬ ଜଣ ପ୍ରାର୍ଥୀ ରହିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେପି ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଅନେକ ସାଂସଦ ଓ ଅଭିନେତାମାନଙ୍କୁ ପ୍ରାର୍ଥୀ କରିଛି । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଦଳ ଟାଲିଗଞ୍ଜରୁ ଟିକେଟ୍ ଦେଇଛି । ସେହିଭଳି ଅଭିନେତା ୟସଦାସଗୁପ୍ତା ଚଣ୍ଡୀତଳାରୁ, ସାଂସଦ ଲକେଟ ଚାଟାର୍ଜୀ ଚୁରଚୁରା, ଅଞ୍ଜନା ବାସୁ ସୋନାରପୁର ସାଉଥରୁ ପ୍ରାର୍ଥୀ ହୋଇଛନ୍ତି । ଏହାପୂର୍ବରୁ ଦଳ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୫୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ।

ଅନ୍ୟପଟେ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଦଳ ୧୭ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସୂଚନାଯୋଗ୍ୟ ଯେ, ତାମିଲନାଡୁରେ ଏଥର ଦଳ ୨୦ଟି ଆସନରେ ପ୍ରାର୍ଥୀ ଦେବ । ତାମିଲନାଡୁ ସହ ବିଜେପି ଆଜି ଆସାମ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ୧୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।