ଢେଙ୍କାନାଳ ଯୁବ ବିଜେଡି ନେତା ଯଶୋବନ୍ତ ହତ୍ୟାକାଣ୍ଡ ଘଟଣା ! ହତ୍ୟାକାରୀଙ୍କୁ ଧରିବା ଦାବିରେ ରାସ୍ତାରୋକ , ଅଟକି ରହିଛି ଶହ ଶହ ଗାଡି

27

କନକ ବ୍ୟୁରୋ : ଢେଙ୍କନାଳ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କୁ ହତ୍ୟା ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାରୋକ୍ । ତୁରନ୍ତ ଗିରଫ ଦାବିରେ କାମାକ୍ଷାନଗର ହନୁମାନ ବଜାରରେ ୫୩ନମ୍ବର ଜାତୀୟ ରାଜପଥରେ ରାସ୍ତାରୋକ୍ କରିଛନ୍ତି ସ୍ଥାନୀୟ ଲୋକ । ରାସ୍ତାରୋକ୍ ଯୋଗୁଁ ତାଳଚେର- ଯାଜପୁର ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଉଭୟ ପାଶ୍ୱର୍ରେ ସକାଳୁ ସକାଳୁ ବହୁ ସଂଖ୍ୟାରେ ଗାଡି ଅଟକି ରହିଛି ।

ସୋମବାର ପୂର୍ବାହ୍ନରେ କାମାକ୍ଷାନଗର ଏନ୍ଏସି ବାସିନ୍ଦା ଶ୍ରୀ ପରିଡ଼ାଙ୍କୁ ୪ ଜଣ ଆତତାୟୀ ଏକ ବୋଲେରୋ ଗାଡିରେ ଆସି ଆଖିବୁଜା ଗୁଳିମାଡ଼ କରିବା ସହ ବୋମା ଫିଙ୍ଗି ହତ୍ୟା କରିଛନ୍ତି। ସ୍ପଷ୍ଟ ଦିବାଲୋକରେ ଏହି ଛାତିଥରା ହତ୍ୟାକାଣ୍ଡ ଢେଙ୍କାନାଳ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଛି। ହତ୍ୟାକାଣ୍ଡର କାରଣ ଏ ଯାଏ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ପଛରେ ବ୍ୟାବସାୟିକ, ରାଜନୈତିକ ଶତ୍ରୁତା ସହିତ ଏକାଧିକ କାରଣ ରହିଥିବା କୁହାଯାଉଛି। ଘଟଣାର ପ୍ରତ୍ୟକ୍ଷଦର୍ଶୀ କାମାକ୍ଷାନଗର ଏନ୍ଏସି ଅନନ୍ତପୁର ବାସିନ୍ଦା ରଂଜନ କୁମାର ସାହୁ (୩୦) ମଧ୍ୟ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆହତ ହୋଇଛନ୍ତି। ଏହି ଘଟଣା ପରେ ପୁଲିସ ସମସ୍ତ ରାସ୍ତାକୁ ସିଲ୍ କରିବା ସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିଥିଲା। ତେବେ ଧରାପଡିଯିବା ଭୟରେ ଦୁର୍ବୃତ୍ତମାନେ କାମାକ୍ଷାନଗର ସହରଠାରୁ ୧୦ କିଲୋମିଟର ଦୂର ବାଉଁଶପାଳ ପଞ୍ଚାୟତ କାଇରି-ମାଝିସାହି ନିକଟ ରାମିଆଳ ନଦୀକୂଳରେ ଗାଡି ଛାଡି ଫେରାର୍ ହୋଇ ଯାଇଛନ୍ତି। ତେବେ ଗୋଟିଏ ଦିନ ବିତିଯାଇଥିଲେ ମଧ୍ୟ ଦୁବୃର୍ତଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇନଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।