ବନ୍ଦ ଡ଼ାକରା, ବଡ଼ ରାଜନୀତି ! ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ନେଇ ଛକାପଞ୍ଝା ।

391

କନକ ବ୍ୟୁରୋ: ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡ଼ାକରା ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଦେଶରେ ପ୍ରସଂଶା ସାଉଣ୍ଟୁଛି । ଯାହାକି ରାଜ୍ୟର ସବୁ ବର୍ଗର ଚାଷୀ ଭାଇଙ୍କ ପାଇଁ ଲାଭଦାୟକ ଯୋଜନା ଭାବେ ପରିଣତ ହୋଇଛି । ଯାହାଦ୍ୱାରା ଚାଷୀଙ୍କ ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ ଯେଉଁ ସବୁ ଦାବି କରୁଥିଲା ନବ ନିର୍ମାଣ ସଂଗଠନ ସେଗୁଡ଼ିକରୁ ଅଧା ରାଜ୍ୟ ସରକାର ପୂରଣ କରିଛନ୍ତି । ଏହା ବାଦ୍ କାହିଁକି ଏ ବନ୍ଦ ଡ଼ାକରା କିଛି ବୁଝା ପଡୁନାହିଁ । ଗଣତନ୍ତ୍ରରେ ପ୍ରତିବାଦ କରିବାର ସମସ୍ତଙ୍କର ଅଧିକାର ରହିଛି କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଲା କି, ଏହି ବନ୍ଦ ଡ଼ାକରାକୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସମର୍ଥନ ଜଣାଇଛନ୍ତି ।

ଚାଷୀଙ୍କ ପାଇଁ ରାଜ୍ୟ ସରକାଙ୍କ ଏତେସବୁ ଯୋଜନା ପରେ ମଧ୍ୟ ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡ଼ାକରା ରାଜନୈତିକ ଦଳର ପ୍ରଭାବିତ ଦ୍ୱାରା କରାଯାଉଛି ବୋଲି ବିଜେଡି ଅଭିଯୋଗ ଆଣିଛି । ଏହାସହ ସଂଗଠନକୁ ବିଜେଡିର ପ୍ରଶ୍ନ ଯେ, ଯେଉଁ ଚାଷୀ ଭାଇଙ୍କ ପାଇଁ ଏମଏସପି ମୂଲ୍ୟ ଦେଢ଼ ଗୁଣା କରିବାକୁ ଓଡ଼ିଶା ଦାବି କରୁଥିଲେ ମଧ୍ୟ ତାହାକୁ ପୂରଣ କରୁନାହାନ୍ତି କେନ୍ଦ୍ର ସରକାର କ’ଣ ତାକୁ ସଂଗଠନ ସମର୍ଥନ କରୁଛି କି ? କାଳିଆ ଯୋଜନା ସମାବେଶରେ କୌଣସି ରାଜନୈତିକ ବ୍ୟକ୍ତିକୁ ପାଖରେ ନବସାଇ ଚାଷୀ ଭାଇଙ୍କ ସହ ସିଟ୍ ସେୟାର କରିବା ଚାଷୀଙ୍କୁ ସମ୍ମାନ ନୁହେଁ କି? ରାଜ୍ୟ ସରକାର ସଂଗଠନର ବିଭିନ୍ନ ଦାବିକୁ ପୂରଣ କରିବା ସତ୍ତେ୍ୱ କାହା ସ୍ୱାର୍ଥରେ ଓଡ଼ିଶାରେ ବନ୍ଦ ଡ଼ାକରା ଦେଇଛି ସଂଗଠନ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ଅନ୍ୟପଟେ ଆସନ୍ତା ୨୨ ତାରିଖରେ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ବନ୍ଦ ଡ଼ାକରା ପିଲାଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ଛିଡ଼ା କରିଛି । କାରଣ ପରୀକ୍ଷା ପୂର୍ବ ଦିନ ଯଦି ଓଡ଼ିଶା ବନ୍ଦ ରହେ ତେବେ ଠିକଣାସ୍ଥଳରେ ପ୍ରଶ୍ନ ପତ୍ର ପହଁଚିବ କେମିତି । ଏହି ବନ୍ଦ ଡ଼ାକରାକୁ ବିଜେପି ଓ କଂଗ୍ରେସ ସମର୍ଥନ ଦେବା ଉଭୟଙ୍କ ଦୋ-ମୁହାଁ ନୀତିକୁ ପଦାରେ ପକାଇଛି ବୋଲି ବିଜେଡି କହିଛି ।