ବଦଳିଲେ ବିଜେପିର ସଭାପତି, ଷ୍ଟ୍ରାଟେଜି ବଦଳାଇଲା ବିଜେଡି । ୩୦ ଜିଲ୍ଲାରେ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନବୀନ, ଧର୍ମେନ୍ଦ୍ରଙ୍କ ହୋମଗ୍ରାଉଣ୍ଡରେ ବିଜେଡିକୁ ଶକ୍ତିଶାଳୀ କରିବେ ପ୍ରଣବ ।

556

କନକ ବ୍ୟୁରୋ : ମନମୋହନ ସାମଲଙ୍କୁ ବିଜେପି ହଠାତ୍ ନୂଆ ସଭାପତି କରିବା ପରେ ଷ୍ଟ୍ରାଟେଜି ବଦଳାଇଛି ବିଜେଡି । ନୂଆ ରଣନୀତି ସହ ଏକାଥରକେ ୩୦ ଜିଲ୍ଲାର ପର୍ଯ୍ୟବେକ୍ଷକ ବଦଳାଇ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ ୨୦୨୪ ନିର୍ବାଚନ ଥିବାରୁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି ସହ ପ୍ରସ୍ତୁତିକୁ ଜୋରଦାର କରିଥିବା ନେଇ ସଂକେତ ଦେଇଛନ୍ତି ବିଜେଡି ସଭାପତି । ନୂଆ ପର୍ଯ୍ୟବେକ୍ଷକ ତାଲିକାରେ ୯ ଜଣ ମନ୍ତ୍ରୀ ଥିବା ବେଳେ କିଛି ପୁରୁଣା ଚେହେରାଙ୍କୁ ବାଦ୍ ଦିଆଯାଇଛି । ମନ୍ତ୍ରୀ ଟୁକୁନି ସାହୁ, ଉଷା ଦେବୀ, ରୋହିତ ପୂଜାରୀ ଓ ନଳିନୀ ପ୍ରଧାନଙ୍କ ଭଳି ନେତାଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ଆଉଟ କରାଯାଇଛି । ସେହିଭଳି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଏକାଥରକେ ୪ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । କିଛି ଏଭଳି ଢଙ୍ଗରେ ୨୦୨୪ ପାଇଁ ବିଜେଡି ନିଜର ବ୍ରିଗେଡ ପ୍ରସ୍ତୁତ କରିଛି ।

ତେବେ ନୂଆ ପର୍ଯ୍ୟବେକ୍ଷକ ତାଲିକାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି । ଖାସକରି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଯେଉଁ ୪ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି ତାହାକୁ ନେଇ ଚର୍ଚ୍ଚା ବଢିଛି । ପୂର୍ବରୁ ପ୍ରଣବ କେନ୍ଦୁଝର ଓ ମୟୂରଭଞ୍ଜର ଦାୟିତ୍ୱରେ ଥିବା ବେଳେ ନୂଆ ତାଲିକାରେ ମୟୂରଭଞ୍ଜକୁ ବାଦ୍ ଦେଇ ଅନ୍ୟ ୩ଟି ଜିଲ୍ଲା ଅନୁଗୁଳ, ସମ୍ବଲପୁର, ଢେଙ୍କାନାଳର ଦାୟିତ୍ୱ ମିଳିଛି । ଯେଉଁ ଜିଲ୍ଲାଗୁଡିକ ଗତ କିଛି ଦିନ ହେବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫୋକସରେ ରହିଥିବା ଚର୍ଚ୍ଚା ହେଉଛି । ଏମିତିରେ ଆଗାମୀ ୨୦୨୪ରେ ଧର୍ମେନ୍ଦ୍ର ନିର୍ବାଚନ ଲଢିବେ ବୋଲି ଜାତୀୟ ଗଣମାଧ୍ୟମର ଏକ ସାକ୍ଷାତକାରରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏପରିକି ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁରକୁ ଧର୍ମେନ୍ଦ୍ର ଘନ ଘନ ଗସ୍ତ କରିବା ସହ ସାଥୀ କେନ୍ଦ୍ରମନ୍ତ୍ରୀଙ୍କୁ ଧରି ସଭାସମିତି କରୁଥିବାରୁ ରାଜନୈତିକ ମହଲରେ ଚର୍ଚ୍ଚା ମଧ୍ୟ ବଢୁଛି । ବିରୋଧୀ ଦଳର ସକ୍ରିୟତାକୁ ଦୃଷ୍ଟିରେ ରଖି ବିଜେଡି ମଧ୍ୟ ଏହି ୪ ଜିଲ୍ଲାକୁ ଫୋକସରେ ରଖିବା ସହ ସଙ୍ଗଠନ ସମ୍ପାଦକଙ୍କୁ ଦାୟିତ୍ୱ ଦେଇଥିବା କହିଛନ୍ତି ବିଜେଡିର ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି ।

ଅନ୍ୟପଟେ ମନମୋହନ ସାମଲ ବିଜେପି ସଭାପତି ଭାବେ ଦାୟିତ୍ୱ ନେବା ପରେ କର୍ମୀଙ୍କୁ ୨୦୨୪ରେ ସରକାର ଗଢିବା ପାଇଁ ଆହ୍ୱାନ ଦେଇ ସାରିଲେଣି । ମନମୋହନଙ୍କ ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ବିଜେଡି ନିଜର ରଣନୀତିରେ ପରିବର୍ତ୍ତନ ଆଣିଥିବା ଚର୍ଚ୍ଚା ହେଉଛି । ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ସାଙ୍ଗଠନିକ ସ୍ତରରେ ଏଭଳି ଅଦଳବଦଳ ବିଜେଡିକୁ କେତେ ଫାଇଦା ଦେବ ତାହା ଦେଖିବା ବାକି ରହିଲା ।