ଜଳବାୟୁ ପରିବର୍ତ୍ତନ : ଆସନ୍ତା ୨୭ବର୍ଷରେ ଦେଶରେ ଦେଖାଯିବ ଚାଉଳ, ଗହମ ଓ ମକା ସଂକଟ !

141

କନକ ବ୍ୟୁରୋ : ଗତ କିଛିଦିନ ତଳେ ବିଶ୍ୱରେ ଜଳ ସଂକଟ ଦେଖାଯିବା ନେଇ ଖବର ପ୍ରକାଶ ପାଇଥିଲା । ଯହାକୁ ନେଇ ଚିନ୍ତା ବଢିଥିବା ବେଳେ ପୁଣି ଏକ ଖବର ଚିନ୍ତାକୁ ଦୁଇଗୁଣିତ କରିଦେଇଛି । ଜଳବାୟୁ ସଂକଟ କାରଣରୁ ଭବିଷ୍ୟତରେ ଦେଶରେ ଚାଉଳ, ଗହମ ଏବଂ ମକା ଉତ୍ପାଦନରେ ସଂକଟ ଦେଖାଯିବା ନେଇ ଖବର ପ୍ରକାଶ ପାଇଛି । କେବଳ ଯେ ଚାଉଳ ଗହମକୁ ନେଇ ସଂକଟ ଦେଖାଯିବ ତା ନୁହେଁ । ଫଳ ଏବଂ ପନିପରିବା ଚାଷ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ । କାହିଁକି ନା ଯେଉଁଭଳି ଭାବେରେ ଅଚାନକ ପାଣିପାଗରେ ପରିବର୍ତ୍ତନ ଆସୁଛି । ତାକୁ ଦୃଷ୍ଟିରେ ରଖିଲେ ଆଗକୁ ଦେଶରେ ଖାଦ୍ୟ ଶଶ୍ୟକୁ ନେଇ ବଡ ସଂକଟ ଦେଖାଦେଇପାରେ ବୋଲି ଆକଳନ କରାଯାଇଛି ।

ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ସାଧାରଣରେ ପ୍ରଶ୍ନ ଉଠୁଛି, କଣ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏ ଦିଗ ଉପରେ ନଜର ରଖିଛନ୍ତି? ଜଳବାୟୁ ପରିବର୍ତ୍ତନକୁ ନେଇ କୌଣସି ରିସର୍ଚ୍ଚ ହେଉଛି କି? ଏହିଭଳି ଅନେକ ପ୍ରଶ୍ନକୁ ଲୋକସଭାରେ ଉଠାଇଛନ୍ତି ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ।

ଆଇସିଏଆର ରିସର୍ଚ୍ଚ ଅନୁସାରେ, ୨୦୫୦ ସୁଦ୍ଧା ମୌସୁମୀ ବର୍ଷା ଦ୍ୱାରା ହେଉଥିବା ଧାନ ଚାଷରେ ୨୦ ପ୍ରତିଶତ କମିଯିବ । ଯାହା ୨୦୮୦ ସୁଦ୍ଧା ୪୭ ପ୍ରତିଶତ କମିଯିବା ନେଇ ରିସର୍ଚ୍ଚରୁ ଜଣାପଡିଛି । ସେହିଭଳି ଗହମ ଚାଷରେ ୨୦୫୦ ସୁଦ୍ଧା ୧୯.୩ ପ୍ରତିଶତ, ଏବଂ ୨୦୮୦ ସୁଦ୍ଧା ୪୦ ପ୍ରତିଶତ କମ୍ ଉତ୍ପାଦନ ହେବା ନେଇ ଜଣାପଡିଛି ।

ସେହିଭଳି ଏହି ରିସର୍ଚ୍ଚରୁ ଜଣାପଡିଛି କି, ଜଳବାୟୁ ପରିବର୍ତ୍ତନ କାରଣରୁ ଉତ୍ତର ଏବଂ ଉତ୍ତର ପଶ୍ଚିମ ରାଜ୍ୟ ଜମ୍ମୁ-କାଶ୍ମୀର, ପଞ୍ଜାବ, ହିମାଚଳ ପ୍ରଦେଶ, ଉତରାଖଣ୍ଡ, ହରିୟାଣା,ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ ଚାଷ କ୍ଷତି ହୋଇଥିବା ଜଣାପଡିଛି ।