ପୁରୀ : ଦୀପାଞ୍ଚଳବାସୀଙ୍କ ସ୍ୱପ୍ନ ଅଧୁରା, ବିଜୁସେତୁ କାମକୁ ଅଧାରେ ଛାଡି ଠିକାଦାର ଛୁ

32

କନକ ବ୍ୟୁରୋ : ଅଧାରେ ପୋଲ, ଅଧାରେ ସ୍ୱପ୍ନ । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସର ୫ ବର୍ଷ ପରେ ବି ଦୀପାଂଚଳକୁ ସଂଯୋଗ କରିପାରିନି ବିଜୁ ସେତୁ । ଶେଷରେ ଅଧୁରା ସ୍ୱପ୍ନକୁ ସାଥିରେ ଧରି ଦେବୀ ନଇର ଅକାତ କାତ ପାଣିରେ ବିପଦ ସଂକୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି ଅସ୍ତରଙ୍ଗ ବ୍ଲକ ତାଳଦା ଦୀପାଂଚଳବାସୀ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ଦୀପାଂଚଳର ସବୁଦିନ ଡଙ୍ଗାରେ ଦେବୀ ନଦୀପାର ହୁଅନ୍ତି ଦୀପାଂଚଳବାସୀ । ଦୀପାଂଚଳର ଦୁଃଖ ଦୂର ପାଇଁ ୨୦୧୨ରୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଦୀପାଂଚଳକୁ ସଂଯୋଗ କରିବା ପାଇଁ ୪୦ କୋଟି ବ୍ୟୟ ଅଟକଳରେ ବିଜୁ ସେତୁର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ମାଣ ମଧ୍ୟ ଆରମ୍ଭ ହୋଇଛି, ହେଲେ ୫ ବର୍ଷରେ ମାତ୍ର ୬୦ ପ୍ରତିଶତ କାମ କରି ଛୁ ମାରିଛନ୍ତି ହାଇଦ୍ରାବାଦର ଠିକାଦାର । ଆଉ ଅଧୁରା ସ୍ୱପ୍ନକୁ ସାଥି କରି ଡଙ୍ଗାରେ ବିପଦ ସଂକୁଳ ଅବସ୍ଥାରେ ନଦୀପାର ହେଉଛନ୍ତି ତାଳଦା ବାସୀ ।

ବିଜୁ ସେତୁ ୩୦ ପିଲର ଉପରେ ଠିଆ ହେବା ପାଇଁ ଯୋଜନା କରାଯାଇଛି । ସେଥିରୁ ୧୮ଟି ନିର୍ମାଣ କରାଯାଇଥିବା ବେଳେ ବାକି ୧୧ଟି ପାଇଁ କଳହ ଲାଗି ରହିଛି । ଏହି ପିଲର ଯୋଗୁଁ ଖଣାସାହିଗାଁର ୧୩ ପରିବାରକୁ ଜମି ହରାଇବାକୁ ପଡିବ । ତେଣୁ ଏମାନଙ୍କୁ କ୍ଷତିପୂରଣ ଦେବାରେ ପ୍ରଶାସନ ବିଳମ୍ବ କରୁଥିବାରୁ କାମ ବନ୍ଦ ରହିଥିବା ଅଭିଯୋଗ ହୋଇଛି । ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ କହୁଛନ୍ତି, ବର୍ଷା ଯୋଗୁଁ କାମ ବନ୍ଦ ରହିଛି, ୨ ମାସ ପରେ କାମ ପୁଣି ଆରମ୍ଭ ହେବ । ନଦୀ ଘରରେ ଥିବା ତାଳଦା ଦୀପାଂଚଳବାସୀ ସ୍ୱପ୍ନ ଦେଖିଥିଲେ ନଦୀରେ ନୁହେଁ ପୋଲରେ ଦେବୀନଇ ପାରିହେବେ । ହେଲେ ପ୍ରଶାସନ ଓ ଠିକାଦାରଙ୍କ ଅବହେଳା ଯୋଗୁଁ ସେ ସ୍ୱପ୍ନ ତାଙ୍କର ଅଧାରେ ରହିଯାଇଛି ।