ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଜୟଶ୍ରୀ । 

1,978

କନକ ବ୍ୟୁରୋ : ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଜୟଶ୍ରୀ  । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ୬୮ ବର୍ଷ ବୟସରେ ଆଖି ବୁଜିଛନ୍ତି ବିଜୟଶ୍ରୀ । ପୂର୍ବରୁ କରୋନାରେ ପୀଡିତ ଥିଲେ ବିଜୟଶ୍ରୀ । ତେବେ କରୋନାରୁ ଭଲ ହେବା ପରେ ସେଫ୍ଟିସିମିଆ ରୋଗରେ ପୀଡିତ ଥିଲେ । ଆଜି ସନ୍ଧ୍ୟା ୫ଟା ୩୦ ମିନିଟ୍ ସମୟରେ ତାଙ୍କର ଦେହାନ୍ତ ହୋଇଛି ।

ନବୀନ ସରକାରରେ ମନ୍ତ୍ରୀ ରହି ସାରିଥିବା ବିଜୟଶ୍ରୀ ରାଉତରାୟ ୬ ଥରର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡିରୁ ୪ଥର ଓ ଜନତା ଦଳରୁ ୨ ଥର ବିଧାୟକ ରହି ସାରିଛନ୍ତି ବିଜୟଶ୍ରୀ । ୧୯୯୦ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜୟଶ୍ରୀ ନିଜ ରାଜନୈତିକ କ୍ୟାରିୟରରେ କେବେ ପରାଜିତ ହୋଇନାହାନ୍ତି । ଭଦ୍ରକ ବାସୁଦେବପୁର ଆସନରୁ ଲଗାତାର ବିଜୟୀ ହୋଇ ଆସୁଥିବା ବିଜୟଶ୍ରୀ ୨୦୧୯ରେ ନିର୍ବାଚନ ଲଢିନଥିଲେ । ଏହି ଆସନରୁ ତାଙ୍କ ବିଷ୍ଣୁବ୍ରତ ରାଉତରାୟ ନିର୍ବାଚନ ଲଢିବା ସହ ବିଜୟୀ ହୋଇଛନ୍ତି । ବିଜୟଶ୍ରୀ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ।