ବିହାର ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ଜେଡିୟୁରେ ଫାଟ : ଶପଥ ଗ୍ରହଣ ସମାରୋହରୁ ୫ ବିଧାୟକ ଦୂରେଇ ରହିବା ପରେ ବଢୁଛି ଚର୍ଚ୍ଚା

635

କନକ ବ୍ୟୁରୋ : ବିହାର ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ଜେଡିୟୁରେ ଦେଖାଦେଇଛି ଅସନ୍ତୋଷ । ମନ୍ତ୍ରୀମଣ୍ଡଳରେ ସ୍ଥାନ ନ ମିଳିବାରୁ ୫ ଜେଡିୟୁ ବିଧାୟକ ରାଜଭବନରେ ହୋଇଥିବା ଶପଥପାଠ ସମାରୋହରେ ଯୋଗଦେଇନାହାଁନ୍ତି । ନୂଆ ମନ୍ତ୍ରୀମଣ୍ଡଳରେ ସେମାନଙ୍କୁ ସାମିଲ କରାଯାଇନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଉଛି । ନୀତୀଶ କ୍ୟାବିନେଟରେ ଗତକାଲି ୩୧ ନେତା ମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି । ସେଥିରୁ ଆରଜେଡିର ୧୬ଜଣ ମନ୍ତ୍ରୀ ପଦ ପାଇଥିବାବେଳେ ଜେଡିୟୁ ଖାତାକୁ ଯାଇଛି ୧୧ଟି ପଦ ।

କଂଗ୍ରେସକୁ ମିଳିଛି ୨ । ସେହିପରି ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ଓ ସ୍ୱାଧୀନପ୍ରାର୍ଥୀଙ୍କୁ ଗୋଟିଏ ଲେଖାଏଁ ମନ୍ତ୍ରୀପଦ ମିଳିଛି । ଏପଟେ ବିହାର ବିଜେପି ନେତୃତ୍ୱକୁ ନେଇ ଦିଲ୍ଲୀରେ ବସିଛି ବିଜେପି କୋର କମିଟି ବୈଠକ । ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ଦରବାରରେ ହୋଇଛି ମାନସମନ୍ଥନ । ଆଗକୁ ବିହାରରେ ବିଜେପିର ସ୍ଥିତି ଓ ଭୂମିକା କଣ ରହିବ ଏନେଇ ଚିନ୍ତାରେ ଦଳ । ୨୦୨୪ ନିର୍ବାଚନ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି । ଜେଡିୟୁର ଅସନ୍ତୁଷ୍ଟ ବିଧାୟକଙ୍କୁ ଧରି ବିଜେପି ଗୋଟିଚାଳନା ଆରମ୍ଭ କରିଥିବା କୁହାଯାଉଛି ।