ସମ୍ପୂର୍ଣ୍ଣ ଟିକାକରଣରେ ପ୍ରଥମ ସହର ହେବ ଭୁବନେଶ୍ୱର । ଜୁଲାଇ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ବିଏମସିର ଲକ୍ଷ୍ୟ, ଜୁଲାଇ ୫ରୁ ଆରମ୍ଭ ହେବ ଅନସ୍ପଟ ଟିକାକରଣ । 

330

କନକ ବ୍ୟୁରୋ : ସଂପୂର୍ଣ୍ଣ ଟିକାକରଣରେ ଭୁବନେଶ୍ୱର ହେବ ପ୍ରଥମ ସହର । ଜୁଲାଇ ଶେଷ ସୁଦ୍ଧା ସଂପୂର୍ଣ୍ଣ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛି ବିଏମସି । ଏହି କ୍ରମରେ ଜୁଲାଇ ୫ ତାରିଖରୁ ଆରମ୍ଭ ହେଉଛି ଅନ ସ୍ପଟ ଟିକାକରଣ । ଅର୍ଥାତ ପ୍ରଥମ ଡୋଜ୍ ଟିକା ନେଇନଥିବା ବ୍ୟକ୍ତି କୋ-ୱିନ ପୋର୍ଟାଲରେ ସ୍ଲଟ ବୁକିଂ ନକରି ମଧ୍ୟ ଟିକାକେନ୍ଦ୍ରରେ ସିଧାସଳଖ ଯାଇ ଟିକା ନେଇପାରିବେ । ଜୁଲାଇ ୫ରୁ ୧୦ ଯାଏଁ ଅଭିଯାନ ଆରମ୍ଭ ହେବ । କେବଳ ଆଧାରକାର୍ଡ ଦେଖାଇ ଟିକା ନେଇପାରିବେ ହିତାଧିକାରୀ ।

ବିଏମସି ଡେପୁଟି କମିସନର କହିଛନ୍ତି ଯେ, ସ୍ୱାସ୍ଥ୍ୟକର୍ମୀ, କୋଭିଡ ଯୋଦ୍ଧା ଓ ୧୮ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ମିଶାଇ ୯ ଲକ୍ଷ ୭ ହଜାର ୧୯୪ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଗତକାଲି ସୁଦ୍ଧା ଭୁବନେଶ୍ୱରରେ ୧୪ ଲକ୍ଷ ୫୫ ହଜାର ୪୫୫ ଜଣଙ୍କୁ ଟିକା ଦିଆଯାଇ ସାରିଛି । ସେଥିମଧ୍ୟରୁ ୯ ଲକ୍ଷ ୪୫ ହଜାର ୭୮ ଜଣ ପ୍ରଥମ ଡୋଜ୍ ଓ ୫ ଲକ୍ଷ ୧୦ ହଜାର ୩୭୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଥିବା କହିଛନ୍ତି ଡେପୁଟି କମିଶନର ଅଂଶୁମାନ ରଥ ।