କମ୍ପାନି ନାଁରେ ଠକାମୀର ଶିକାର ହୋଇଥିଲେ ରୋଗୀ, ଇଞ୍ଜେକସନ ଯୋଗାଇ ଦେଇ ସାହାଯ୍ୟ ପାଇଁ ଆଗେଇ ଆସିଲା ନେକ୍ସଜେନମେଡ ଫାର୍ମାସୀ ।

142

କନକ ବ୍ୟୁରୋ : ବ୍ଲାକ ଫଙ୍ଗସ ରୋଗରେ ଆକ୍ରାନ୍ତ ଅଜୟ ଭୂୟାଁଙ୍କୁ ଜୀବନ ରକ୍ଷାକାରୀ ଲିପୋସମାଲ ଇଂଜେକ୍ସନ ଯୋଗାଇ ଦେବ ଚେନ୍ନାଇ କମ୍ପାନି । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଏହି ଇଂଜେକ୍ସନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ନେକ୍ସଜେନମେଡ ଫାର୍ମାସୀ ପ୍ରାଇଭେଟ୍ ଲିମିଟେଡ୍ । ଏଥିସହ ନିଜକୁ କମ୍ପାନିର ପ୍ରତିନିଧି କହି ୪୮ ହଜାର ଟଙ୍କା ଠକି ନେଇଥିବା ଅରୁଣ କୁମାର ବିରୋଧରେ ସାଇବର ଅପରାଧ ଆଇନରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛି ।

ଏମ୍ସ ହସ୍ପିଟାଲରେ ଭର୍ତି ଅଜୟଙ୍କ ଅବସ୍ଥା ଗୁରୁତର ଥିବାରୁ ଲିପୋସମାଲ ଇଂଜେକ୍ସନ ବାହାରୁ ଆଣିବା ପାଇଁ କହିଥିଲେ ହସ୍ପିଟାଲ କର୍ତୃପକ୍ଷ । କିଛି ବାଟ ନପାଇ ପରିବାର ଲୋକେ ଗୁଗୁଲରେ ସର୍ଚ କରି ଏହି ଇଂଜେକ୍ସନ କିଣିବା ପାଇଁ ଚେଷ୍ଟା କଲେ । ସେହି ଇଂଜେକସନ ଥିବା ଏକ ସାଇଟ ସହ ସଂପୃକ୍ତ ବ୍ୟକ୍ତିଙ୍କ ସହ କଥାବାର୍ତା ହେଲା । ବ୍ୟକ୍ତି ଜଣକ ୪୮ ହଜାର ଟଙ୍କା ତାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ କହିଲେ, ଓ ଏହା ପରେ ଇଂଜେକସନ ଆସିଯିବ ବୋଲି ପ୍ରତିଶ୍ରୁତି ଦେଲେ । କିନ୍ତୁ ଆଉ ଇଂଜେକସନ ଆସିଲା ନାହିଁ ଏବଂ ସେ ବ୍ୟକ୍ତିଙ୍କ ଫୋନ ବି ବନ୍ଦ ହୋଇଗଲା । ଏହି ଖବର କନକ ନ୍ୟୁଜରେ ପ୍ରସାରଣ ପରେ ଆଗକୁ ଆସିଛି ଚେନ୍ନାଇର ସଂପୃକ୍ତ କମ୍ପାନି । ରୋଗୀଙ୍କୁ ଇଂଜେକ୍ସନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ କମ୍ପାନି ନାଁରେ ଠକେଇ କରିଥିବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।