ଆମେରିକାରେ ବଢୁଛି ଭାରତୀୟଙ୍କ ଦବଦବା । ନାସାର କାର୍ଯ୍ୟକାରୀ ମୁଖ୍ୟ ହେଲେ ଭାରତୀୟ ବଂଶୋଦ୍ଭବ ଭବ୍ୟା ।

235

କନକ ବ୍ୟୁରୋ: ଆମେରିକାରେ ଭାରତୀୟଙ୍କର ବଢୁଛି ପ୍ରଭାବ । ଆମେରିକାର ଉପରାଷ୍ଟ୍ରପତି ଭାବେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଶପଥ ନେବା ସହ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନରେ ୨୦ରୁ ଅଧିକ ଭାରତୀୟ-ଆମେରିକୀୟ ନିଯୁକ୍ତ କିମ୍ବା ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୭ଜଣ ହ୍ଵାଇଟ୍‌ ହାଉସ୍‌ ପରିସର ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିବେ । ଆଉ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକି ଜଣେ ଭାରତୀୟ ଭାବରେ ଆପଣଙ୍କୁ ଗର୍ବିତ କରାଇବ ।

ଆମେରିକାର ମହାକାଶ ଗବେଷଣା ସଂସ୍ଥା ବା ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଦାୟିତ୍ୱ ମିଳିଛି । ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଭଵ୍ୟା ଲାଲଙ୍କୁ ନିଯୁକ୍ତି ଦିଆଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଟିମରେ କାର୍ଯ୍ୟ କରିଆସିଥିବା ଭଵ୍ୟା ମାଶାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋକୋଜିରୁ ନ୍ୟୁକ୍ଲିୟର ଇଂଜିନିୟରିଂରେ ସ୍ନାତକ ହାସଲ କରିଥିବାବେଳେ ଜର୍ଜ ୱାଶୀଙ୍ଗଟନ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ପଲିସୀ ଓ ପବ୍ଲିକ ଆଡମିନିଷ୍ଟ୍ରେସନରେ ଡକ୍ଟରେଟ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ।

ଆମେରିକାର ସ୍ପେସ୍ ଏଜେନ୍ସି ନାସା କହିଛି ଯେ ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିରେ ଲାଲଙ୍କର ବହୁତ ଅଭିଜ୍ଞତା ଅଛି । ଭଵ୍ୟା ୨୦୦୫ ରୁ ୨୦୨୦ ପ୍ରତିରକ୍ଷା ବିଶ୍ଳେଷଣ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନୀତି ପ୍ରତିଷ୍ଠାନର ଅନୁସନ୍ଧାନକାରୀ ଥିଲେ।