ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା । କ୍ରାଇମ ସିନରେ କ୍ରାଇମବ୍ରାଞ୍ଚ । ମୃତ ପିଏଙ୍କ ପରିବାରକୁ ନେଇ ସତିଗୁଡା ଜଳ ଭଣ୍ଡାରରେ ଟିମ୍ ।

65

କନକ ବ୍ୟୁରୋ : କ୍ରାଇମ ସିନରେ କ୍ରାଇମବ୍ରାଞ୍ଚ । ମୃତ ପିଏଙ୍କ ପରିବାରକୁ ନେଇ ସତିଗୁଡା ଜଳ ଭଣ୍ଡାରରେ ଟିମ୍ । ମୃତ ପିଏ ଦେବନାରାୟଣ ପଣ୍ଡାଙ୍କ ସ୍ତ୍ରୀ ବନଜା ପଣ୍ଡାଙ୍କ ସମେତ ପୁଅ ଓ ଝିଅଙ୍କୁ ଘଟଣାସ୍ଥଳକୁ ନେଇ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଆଉ ସେ ଦିନ ଜଳଭଣ୍ଡାର ପାଖରେ ଉପସ୍ଥିତ ଥିବା ଅଗ୍ନିଶମ କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କୁ ଏକାଠି କରି ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ।

ତତକାଳିନ ଜିଲ୍ଲାପାଳଙ୍କ ମନିଷ ଅଗ୍ରୱାଲଙ୍କ ପରେ ଗତ ୨୭ ତାରିଖରେ ମାଲକାନଗିରି ଏସପିଙ୍କ ବିରୋଧରେ ଏସଡିଜେଏମ କୋର୍ଟରେ ଏତଲା ଦେଇଛନ୍ତି ମୃତ ପିଏଙ୍କ ପତ୍ନୀ । ଏସପି ରିଷିକେଶ କିଲ୍ଲାରୀ, ମାଲକାନଗିରି ଥାନା ଆଇଆଇସି ଓ ଓରକେଲ ଥାନା ଆଇଆଇସିଙ୍କ ସମେତ ୬ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଏସଡିଜେଏମ କୋର୍ଟରେ ଦ୍ୱାରସ୍ତ ହୋଇଛନ୍ତି । ଏମାନେ ମୃତକଙ୍କ ପରିବାରକୁ ଧମକଚମକ ଦେବା, ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ବୋଲି ମାନି ନେବାକୁ ବାଧ୍ୟ କରୁଥିବା ଅଭିଯୋଗ ହେବା ପରେ କ୍ରାଇମବ୍ରାଂଚ ତଦନ୍ତ ନିର୍ଦେଶ ଦିଆଯାଇଛି ।

ତେବେ କ୍ରାଇମବ୍ରାଂଚର ଡିଏସପି ର୍ୟାଙ୍କର ଅଧିକାରୀ କେମିତି ଆଇପିଏସଙ୍କ ବିରୋଧରେ ତଦନ୍ତ କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ପିଏଙ୍କ ପରିବାର । ଗତ ୨୦୧୯ ଡିସେମ୍ବର ୨୮ରେ ସତିଗୁଡା ଜଳଭଣ୍ଡାରରୁ ସନ୍ଦେହ ଜନକ ଅବସ୍ଥାରେ ଦେବନରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଜାତୀୟ ଓ ରାଜ୍ୟ ମାନବାଧିକରା କିମିଶନ ସହ ନ୍ୟାୟ ପାଇଁ ସରକାରଙ୍କ ବିଭିନ୍ନ ବିଭାଗର ଦ୍ୱାରସ୍ତ ହୋଇଥିଲେ ମୃତକଙ୍କ ପରିବାର ।

ଆଉ ଗତ ନଭେମ୍ବର ମାସରେ ତତକାଳିନ ଜିଲ୍ଲାପାଳ ମନିଷ ଅଗ୍ରଓାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିବା ପରେ ଏବେ ପୁଲିସ ବିରୋଧରେ ସ୍ୱର ଉଠାଛନ୍ତି ମୃତ ପିଏଙ୍କ ପତ୍ନୀ ବନଜା । ତେବେ ପ୍ରଶ୍ନ ଉଠୁଛି, ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ୧୩ ମାସରୁ ଉର୍ଧ ସମୟ ବିତିଯାଇ ଥିଲେ ହେଁ କାହିଁକି ମୃତ୍ୟୁର ପ୍ରକୃତ କାରଣ ଖୋଜି ପାରିନଥିଲା ମାଲକାନଗିରି ପୁଲିସ ଓ ଏସ୍ଆଇଟି ।